କଟକ:SCB ମେଡିକାଲ କଲେଜ ଓ ହସ୍ପିଟାଲରେ ୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ମାମଲାରେ ଡାଟା ଏଣ୍ଟ୍ରି ଅପରେଟର ଦୀନେଶ ରାଉତଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୁଲିସ।ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ଦୀନେଶ ରାଉତଙ୍କ ବିରୋଧରେ ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ମେଡିକାଲ କଲେଜର କର୍ମଚାରୀମାନଙ୍କ ଦରମା ସମ୍ପର୍କିତ ତଥ୍ୟ ଓ କାର୍ଯ୍ୟ ଡାଟା ଏଣ୍ଟ୍ରି ଅପରେଟରଙ୍କ ଜରିଆରେ ପରିଚାଳିତ ହେଉଥିଲା।ଅଡିଟ୍ ରିପୋର୍ଟରେ ଦରମା ସମ୍ପର୍କିତ ତଥ୍ୟରେ ହେରଫେର କରାଯାଇଥିବା ଏବଂ ଏହା ମାଧ୍ୟମରେ ବଡ଼ ଧରଣର ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା। ଏହା ପରେ ଏସସିବି ଅଧୀକ୍ଷକଙ୍କ ପକ୍ଷରୁ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗିରଫ କରିଛି।ଅଭିଯୁକ୍ତ ଦୀନେଶ ଏହି ଟଙ୍କାକୁ ବିଭିନ୍ନ ସମୟରେ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ମୁଖ୍ୟତଃ କର୍ମଚାରୀମାନଙ୍କ ଏରିଅର୍ ଟଙ୍କା ହଡ଼ପ ହୋଇଥିବା ଜାଣିବାକୁ ପାଇଛି ପୁଲିସ। ଅଭିଯୁକ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଫ୍ରିଜ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ଏକ ଆଉଟସୋର୍ସିଂ ସଂସ୍ଥାର କର୍ମଚାରୀ ବୋଲି ଜଣାପଡ଼ିଛି l
