ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ (ଆର୍.ଆଇ.) ଅନୀତା ଜେନାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସେ ଜଣେ ଆବେଦନକାରୀଙ୍କ ପୈତୃକ ଜମିର ସୀମା ନିର୍ଦ୍ଧାରଣ (ଡିମାର୍କେସନ) ରିପୋର୍ଟ ପ୍ରଦାନ କରିବା ପାଇଁ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆବେଦନକାରୀ ଗତ କିଛି ମାସ ପୂର୍ବରୁ ତାଙ୍କ ପୈତୃକ ଜମିର ସୀମା ନିର୍ଦ୍ଧାରଣ (ଡିମାର୍କେସନ୍) ରିପୋର୍ଟ ପାଇଁ ଆବେଦନ କରିଥିଲେ। କିନ୍ତୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଅନିତା ଜେନା ବିନା କୌଣସି କାରଣରେ ରିପୋର୍ଟ ପ୍ରଦାନରେ ବିଳମ୍ବ କରୁଥିଲେ। ପରେ ରିପୋର୍ଟ ଦେବା ବଦଳରେ ୪ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏପରିକି ଲାଞ୍ଚ ନଦେଲେ ରିପୋର୍ଟ ଦିଆଯିବ ନାହିଁ ବୋଲି ଧମକ ମଧ୍ୟ ଦେଉଥିବା ଅଭିଯୋଗ ହୋଇଛି। ଏଥିରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଓଡ଼ିଶା ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଆଜି ଭିଜିଲାନ୍ସ ଟିମ୍ ଏକ ଯୋଜନାବଦ୍ଧ ଭାବେ ଟ୍ରାପ୍ କରି ଅନିତା ଜେନାଙ୍କୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୪,୦୦୦ ଟଙ୍କାର ଲାଞ୍ଚ ରାଶି ଜବତ କରାଯାଇଛି। ଏହି ଟ୍ରାପ୍ ପରେ ଜେନାଙ୍କ ସହ ସମ୍ପୃକ୍ତ ତିନୋଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତିର ତଲାସି ହୋଇଛି । ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନା ମାମଲା ନଂ–୦୫, ତାରିଖ ୨୦.୦୭.୨୦୨୬, ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା–୭ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।
