ଭୁବନେଶ୍ୱର: “ସମବାୟ ସମ୍ବାଦ”ର ପ୍ରଭାବ ପୁଣିଥରେ ପ୍ରମାଣିତ ହୋଇଛି। ଗତକାଲି “ରାଜ୍ୟ ଗୃହ ନିର୍ମାଣ ସମବାୟ ନିଗମରୁ କୋଟି କୋଟି ଟଙ୍କା ଦୁର୍ନୀତି” ସମ୍ବନ୍ଧୀୟ ସମ୍ବାଦ ପ୍ରକାଶ ପାଇବା ପରେ, ଏହି ଘଟଣାକୁ ନେଇ ନୂଆ ମୋଡ଼ ଆସିଛି।ଏହି ପ୍ରସଙ୍ଗରେ ଶ୍ରୀମତୀ ବିଜୟଲକ୍ଷ୍ମୀ ମହାପାତ୍ର ସାମ୍ନାକୁ ଆସି ଆମ ପ୍ରତିନିଧିଙ୍କୁ ସ୍ପଷ୍ଟ କରିଛନ୍ତି ଯେ, ସେ ନିର୍ଦ୍ଦୋଷ ଓ ତାଙ୍କୁ ଏହି ମାମଲାରେ ଫସା ଯାଇଛି। ସେ କହିଛନ୍ତି ଯେ ସମସ୍ତ ପ୍ରକାର ତଦନ୍ତକୁ ସେ ସାମ୍ନା କରିବାକୁ ପ୍ରସ୍ତୁତ। ତାଙ୍କ ଦସ୍ତଖସ୍ତକୁ ବ୍ୟବହାର କରି ଅନ୍ୟମାନେ ଅନିୟମିତ ଭାବେ ଟଙ୍କା ନେଇ ଥିବା ନେଇ ସେ ସୂଚନା ଦେଇଛନ୍ତି।ଏହା ସହିତ, ପୁରୀ ଅଞ୍ଚଳର ଜମି ଜଗୁଆଳି ତଥା ରାଜ୍ୟ ଗୃହ ନିର୍ମାଣ ସମବାୟ ନିଗମ ର କର୍ମଚାରୀ ଶ୍ରୀ ମନୋଜଙ୍କ ପାଖରେ ଏହି ଅର୍ଥ ଅନିୟମିତତା ସମ୍ପର୍କିତ ପ୍ରମାଣ ଥିବା ଦାବି ହେଉଛି, ଯାହା ଆଗାମୀ ଦିନରେ ଘଟଣାକୁ ଆହୁରି ସ୍ପଷ୍ଟ କରିବ ।ଏପରିକି, ରାଜ୍ୟ ଗୃହ ନିର୍ମାଣ ସମବାୟ ନିଗମ ସମ୍ବନ୍ଧୀୟ ଜମି କେଳେଙ୍କାରୀ ତଦନ୍ତ ରିପୋର୍ଟ ମଧ୍ୟ ପ୍ରକାଶ ପାଇବାକୁ ଯାଉଛି। ଏହାକୁ ନେଇ ଗତକାଲି ଉଚ୍ଚସ୍ତରୀୟ ବୈଠକ ହୋଇଥିବା ସୂଚନା ମିଳିଛି।ଏଥିରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି—ସମବାୟ ନିବନ୍ଧକ କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ କୃଷ୍ଣ ଚନ୍ଦ୍ର ଦାସ ତଦନ୍ତ ରିପୋର୍ଟକୁ ଦୀର୍ଘ ସମୟ ଧରି କାହିଁକି ଅଟକାଇ ରଖିଥିଲେ। ଫେବୃଆରୀ 6 ତାରିଖରୁ ରିପୋର୍ଟ ଆସିଥିଲେ ମଧ୍ୟ, ପ୍ରାୟ ଏକ ମାସ ଧରି ତାହା ପ୍ରକାଶ ନ ହେବା ନେଇ ବିଭାଗୀୟ କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠିଛି। ତାକୁ ତଦନ୍ତ ପରିସର କରିବା ପାଇଁ ଦାବି ହୋଇଛି । ତଥ୍ୟ ଅନୁସାରେ, କମିଶନର ତଥା ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ହସ୍ତକ୍ଷେପ ପରେ ଏହି ତଦନ୍ତ ରିପୋର୍ଟ ପ୍ରକାଶ ପାଇବାର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିବା ଜଣାପଡ଼ିଛି।ଏହି ସମସ୍ତ ଘଟଣାକ୍ରମ ରାଜ୍ୟ ସମବାୟ ବ୍ୟବସ୍ଥାର ପାରଦର୍ଶିତା ଓ ଜବାବ ଦେହିତା ଉପରେ ପୁଣିଥରେ ଗୁରୁତ୍ୱ ଆକର୍ଷଣ କରିଛି। କେବେ ରାଜ୍ୟ ଗୃହ ସମବାୟ ନିଗମ କୁ ଫେରିବ କୋଟି କୋଟି ଟଙ୍କାର ସମ୍ପତି ?ଦୁର୍ନୀତି ର ଚେର କେତେ ଲମ୍ବିଛି ! EOW ଭିଜିଲାନ୍ସ ତଦନ୍ତ ର ଆଵଶ୍ୟକତା ଅଛି କି ନାହିଁ ? ସବୁ ପ୍ରଶ୍ନ ର ଉତ୍ତର, ଖୁବ ଶୀଘ୍ର ଜଣା ପଡ଼ିବ ବୋଲି ଏକ ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି ।
