ଭୁବନେଶ୍ୱର:ରାଜ୍ୟ ସମବାୟ ବିଭାଗର ନିର୍ଦ୍ଦେଶକୁ ଅମାନ୍ୟ କରିବା ଶେଷରେ ମହାଙ୍ଗା ପଡିଥିବା ଖବର ମିଳିଛି। ମିଳୁଥିବା ସୂଚନା ଅନୁଯାୟୀ, ଆଜି ରାଜ୍ୟ ଗୃହ ନିର୍ମାଣ ସମବାୟ ନିଗମର ପରିଚାଳନା କମିଟି ବୈଠକ ଡାକାଯାଇଥିଲା। ବୈଠକର ମୁଖ୍ୟ ଏଜେଣ୍ଡା ଥିଲା ରାଜ୍ୟ ସମବାୟ ବିଭାଗ କମିଶନରଙ୍କ ଆଦେଶକୁ ରଦ୍ଦ କରିବା।କିନ୍ତୁ ଏହା ପୂର୍ବରୁ, ନିଗମର ସମସ୍ତ କର୍ମଚାରୀ ରାଜ୍ୟ ସମବାୟ ବିଭାଗର ନିର୍ଦ୍ଦେଶକୁ ସମ୍ମାନ ଜଣାଇ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଏହି ନିଷ୍ପତ୍ତି ସମ୍ବନ୍ଧରେ ଶନିବାର ଦିନ ରାଜ୍ୟ ସମବାୟ ବିଭାଗର କମିଶନର-କମ୍-ପ୍ରିନ୍ସିପାଲ ସେକ୍ରେଟାରୀ ଶ୍ରୀ ରାଜେଶ ପ୍ରଭାକର ପାଟିଲ, IAS ଙ୍କୁ ଅବଗତ କରାଯାଇଥିବା ଜଣାପଡିଛି।ଫଳସ୍ୱରୂପ ଆଜି କୌଣସି କର୍ମଚାରୀ କାର୍ଯ୍ୟାଳୟକୁ ନ ଆସିବାରୁ ଅଫିସରେ ତାଲା ଝୁଲୁଥିବା ଦେଖାଯାଇଛି।ଏହି ପରିସ୍ଥିତିରେ ପରିଚାଳନା କମିଟି ବୈଠକ ଡାକିଥିବା ଭଏସ୍ ଚେୟାରମ୍ୟାନ୍ ଶ୍ରୀମତୀ ବିଜୟଲକ୍ଷ୍ମୀ ମହାପାତ୍ର ଶେଷରେ ବିବାଦର କେନ୍ଦ୍ରବିନ୍ଦୁରେ ପଡିଥିବା ଖବର ଆସୁଛି।ଗୃହ ନିର୍ମାଣ ସମବାୟ ନିଗମର ଜଣେ ବରିଷ୍ଠ ସଦସ୍ୟ ନାମ ଗୋପନ ରଖି କହିଛନ୍ତି ଯେ, ପ୍ରାଥମିକ ସମବାୟ ସମିତିରୁ ପଦତ୍ୟାଗ କରିଥିବା ଜଣେ ବ୍ୟକ୍ତି କିପରି ଏପରି ବୈଠକ ଡାକିବା ପାଇଁ ନିଷ୍ପତ୍ତି ନେଲେ, ସେଥି ପ୍ରତି ଗଭୀର ପ୍ରଶ୍ନ ଉଠୁଛି।ଏହି ସମସ୍ୟା ସମ୍ପର୍କିତ ମାମଲା ମାନ୍ୟବର ହାଇକୋର୍ଟରେ ବିଚାରାଧୀନ ଥିବାରୁ ରାଜ୍ୟ ଗୃହ ନିର୍ମାଣ ସମବାୟ ନିଗମର ଭବିଷ୍ୟତ୍ ଏବେ ଅନିଶ୍ଚିତତାରେ ରହିଛି।ତେଣୁ ନିଗମ ସମ୍ପର୍କିତ ତଦନ୍ତ ରିପୋର୍ଟ ଆଧାରରେ ତୁରନ୍ତ EOW / ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେବାକୁ ରାଜ୍ୟ ସମବାୟ ବିଭାଗ କୁ ବିଭିନ୍ନ ମହଲ ରୁ ଦାବି କରାଯାଇଛି।
