କଟକ:ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାଜ୍ୟ ସମବାୟ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସଙ୍କ ବିରୋଧରେ ଅବମାନନା ନୋଟିସ୍ ଜାରି କରିଛନ୍ତି। ଏହି ନୋଟିସ୍ ଏକ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଗ୍ରାଚୁଇଟି ସହ ସୁଧ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ପୂର୍ବ ଆଦେଶକୁ ଅନୁପାଳନ ନ କରିବା ଅଭିଯୋଗରେ ଜାରି ହୋଇଛି।ଅବସରପ୍ରାପ୍ତ ଉପ-ମହାପ୍ରବନ୍ଧକ ମନଗୋବିନ୍ଦ ବାରିକଙ୍କ ଦ୍ୱାରା ଦାଖଲ ହୋଇଥିବା ଅବମାନନା ଆବେଦନକୁ ଗ୍ରହଣ କରି, ନ୍ୟାୟମୂର୍ତ୍ତି ସଞ୍ଜୟ କୁମାର ମିଶ୍ରଙ୍କ ଏକକ ବେଞ୍ଚ ଏପ୍ରିଲ ୧୦ ତାରିଖରେ ଏହି ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୋଟିସ୍ଟିକୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ପଠାଇବାକୁ ଆଦେଶ ଦିଆଯାଇଥିବା ସହ, ଆଗାମୀ ଶୁଣାଣି ପାଇଁ ୧୪ ମଇ ୨୦୨୬ ତାରିଖ ଧାର୍ଯ୍ୟ କରାଯାଇଛି।ବାରିକ ଗତ ମାର୍ଚ୍ଚ ୧୦ ତାରିଖରେ ଆଦାଲତକୁ ଆଶ୍ରୟ କରିଥିଲେ, ଯେଉଁଥିରେ ସେ ଅଭିଯୋଗ କରିଥିଲେ ଯେ ୨୦୨୫ ଅକ୍ଟୋବର ୨୮ ତାରିଖର ଉଚ୍ଚ ନ୍ୟାୟାଳୟର ରାୟକୁ ନିର୍ଦ୍ଦିଷ୍ଟ ସମୟ ସୀମାଭିତରେ ବ୍ୟାଙ୍କ ପକ୍ଷରୁ ପାଳନ କରାଯାଇ ନାହିଁ ।ଉକ୍ତ ରାୟରେ ଆଦାଲତ “Payment of Gratuity Act, 1972” ଅନୁଯାୟୀ ଜାରି ହୋଇଥିବା ଆଦେଶକୁ ବଳବତ୍ତର ରଖି, ବିଳମ୍ବ ପାଇଁ ୧୦% ସୁଧ ସହ ଗ୍ରାଚୁଇଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବ୍ୟାଙ୍କ ପକ୍ଷରୁ ଦାଖଲ ହୋଇଥିବା ଆପତ୍ତିକୁ ଖାରଜ କରି, ମଧ୍ୟସ୍ଥତା ମାଧ୍ୟମରେ ବିବାଦ ସମାଧାନ କରିବାରେ ବ୍ୟାଙ୍କ ବିଫଳ ହୋଇଥିବାକୁ ଉଲ୍ଲେଖ କରିଥିଲେ। ଏହାସହିତ, ଏକ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ନ୍ୟାୟ ପାଇଁ ଆଇନୀ ଯୁଦ୍ଧ କରିବାକୁ ବାଧ୍ୟ କରିଥିବାରୁ, ଆଦାଲତ ବ୍ୟାଙ୍କ ଉପରେ ୨୦,୦୦୦ ଟଙ୍କା ଅର୍ଥଦଣ୍ଡ ମଧ୍ୟ ଲାଗୁ କରିଥିଲେ।ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ ବ୍ୟାଙ୍କ ପକ୍ଷରୁ ଆଦେଶ ପାଳନ ନ ହେବାରୁ, ଆବେଦକ ପୁନର୍ବାର ଅବମାନନା ଆବେଦନ ଦାଖଲ କରିଥିଲେ। ଆବେଦକଙ୍କ ପକ୍ଷରୁ ଅଧିବକ୍ତା ପ୍ରଦୀପ୍ତ କିଶୋର ଭୁୟାନ ମାମଲା ଲଢ଼ୁଛନ୍ତି।ଅନ୍ୟପଟେ, ବ୍ୟାଙ୍କ ପକ୍ଷରୁ ୨୦୨୫ ଅକ୍ଟୋବର ୨୮ ରାୟ ବିରୋଧରେ ଏକ ରିଟ୍ ଆପିଲ୍ ଦାଖଲ କରାଯାଇଥିବା ସହ ଅନ୍ତର୍ବର୍ତ୍ତୀ ସ୍ଥଗିତାଦେଶ ପାଇଁ ଅନୁରୋଧ କରାଯାଇଛି। ଏବେ ଶ୍ରୀ ସିଦ୍ଧାର୍ଥ ଦାସ ସମବାୟ ବ୍ୟାଙ୍କ ରେ ଲାଇଟ ବନ୍ଦ କରି କଟକ ମାଛ ଧରିବା ପାଇଁ ନୂଆ ପୋଖରୀ ରେ ବ୍ୟସ୍ତ ।ଏବେ ନୂଆ ପରିଚାଳନା ନିର୍ଦ୍ଦେଶକ ଙ୍କ ଉପରେ ସମସ୍ତଙ୍କ ନଜର ।ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦେଶ ମାନୁନଥିବା ଅଫିସର ମାନଙ୍କୁ ତାଙ୍କ ଚାକିରୀ ରୁ ବହିଷ୍କାର କରିବା ପାଇଁ ଏକ PIL ଫାଇଲ କରିବାର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ ପାଇଛି ।
