ଭୁବନେଶ୍ୱର:ରାଜ୍ୟ ସମବାୟ ୟୁନିଅନ ପାଇଁ ଆଜିର ଦିନଟିକୁ ଏକ ଐତିହାସିକ ଓ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଭାବେ ଦେଖାଯାଉଛି । ଆଜି ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂଙ୍କ ରାଜ୍ୟ ସମବାୟ ୟୁନିଅନ ଆଗମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ସମବାୟ ଆନ୍ଦୋଳନର ବିଭିନ୍ନ ପ୍ରସଙ୍ଗ ସହ CT ମହିଳା ମହାବିଦ୍ୟାଳୟ ଜମି ବିବାଦ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ବୋଲି ଜଣାପଡ଼ିଛି ।ତଥ୍ୟ ଅନୁସାରେ, ଭୁବନେଶ୍ୱରରେ ଅବସ୍ଥିତ CT ମହିଳା ମହାବିଦ୍ୟାଳୟକୁ ରାଜ୍ୟ ସମବାୟ ୟୁନିଅନ ପକ୍ଷରୁ ଭଡ଼ା ସୂତ୍ରରେ ଜମି ଓ ଘର ପ୍ରଦାନ କରାଯାଇଥିଲା । କିନ୍ତୁ ଦୀର୍ଘ ବର୍ଷ ଧରି ଭଡ଼ା ଦେୟ ଅଦାୟ ନ ହେବା ସହ ବିଭିନ୍ନ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ଭଡ଼ାରେ ନିଆଯାଇଥିବା ଜମି ଓ ଘର ଉପରେ ଶିକ୍ଷା ବିଭାଗ ଟଙ୍କାରେ ପକ୍ଷରୁ କିଛି ଘର ନିର୍ମାଣ କରାଯାଇଥିବା ସହ କଥିତ ଭାବେ ଭୁଲ ଶପଥ ପତ୍ର ଓ ବିଲ ମାଧ୍ୟମରେ ସରକାରୀ ଅନୁଦାନ ନିଆଯାଇଥିବା ଅଭିଯୋଗ ଉଠିଛି । ଚୁକ୍ତି ଅନୁଯାୟୀ ରାଜ୍ୟ ସମବାୟ ୟୁନିଅନ ର ବିନା ଆଦେଶ ରେ କଲେଜ କୌଣସି କାର୍ଯ୍ୟ କରି ପାରିବେ ନାହିଁ ବୋଲି ଥିବା ସତ୍ତ୍ବେ କଲେଜ ତାହାକୁ ବେଖାତିର କରିଥିବା ଜଣାପଡ଼ିଛି ।ଏହି ସମସ୍ୟା ସମ୍ପର୍କରେ ରାଜ୍ୟ ସମବାୟ ନିବନ୍ଧକ, ଓଡ଼ିଶାଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ବୋଲି ୟୁନିଅନ ପକ୍ଷରୁ କୁହାଯାଇଛି । ସମବାୟ ନିବନ୍ଧକ କାର୍ଯ୍ୟାଳୟର କିଛି ବରିଷ୍ଠ ଅଧିକାରୀ ଏହି ଫାଇଲ ଉପରେ ସକାରାତ୍ମକ ପଦକ୍ଷେପ ନେଉନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।ରାଜ୍ୟ ସମବାୟ ବିଭାଗରୁ ସମାଧାନ ନ ମିଳିବା ପରେ ରାଜ୍ୟ ସମବାୟ ୟୁନିଅନ ପରିଚାଳନା ପରିଷଦ ପକ୍ଷରୁ ସଭାପତି ପ୍ରକାଶିନୀ ଷଡଙ୍ଗୀଙ୍କ ନେତୃତ୍ୱରେ ସିଭିଲ ଜଜ୍ କୋର୍ଟରେ ମାମଲା ରୁଜୁ କରାଯାଇଥିଲା । ମାନ୍ୟବର କୋର୍ଟ ଉକ୍ତ ଜମି ଉପରେ ସ୍ଥିତିବସ୍ଥା ଜାରି ରଖିବା ସହ ରାଜ୍ୟ ସମବାୟ ୟୁନିଅନର ଅନୁମତି ବିନା CT ମହିଳା ମହାବିଦ୍ୟାଳୟ କୌଣସି ସରକାରୀ ଅନୁଦାନ ଭିତ୍ତିକ କାର୍ଯ୍ୟ କରିପାରିବ ନାହିଁ ବୋଲି ଆଦେଶ ମଧ୍ୟ ଦେଇଥିବା ସୂଚନା ମିଳିଛି ।କୋର୍ଟ ଙ୍କ ଆଦେଶ ପରେ ସମସ୍ୟାର ସମାଧାନ ପାଇଁ CT ମହିଳା ମହାବିଦ୍ୟାଳୟ ପକ୍ଷରୁ ମାନ୍ୟବର ବିଧାୟକଙ୍କ ସହଯୋଗ ନିଆଯାଇଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ରାଜ୍ୟ ସମବାୟ ୟୁନିଅନର ରାଜ୍ୟ ପରିଚାଳନା କମିଟି ଓ ସାଧାରଣ ପରିଷଦ ବୈଠକରେ ଖାଲି ଥିବା ଜମିରେ ସମବାୟ ଅତିଥି ଭବନ ଓ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇସାରିଥିବା ଜଣାପଡ଼ିଛି । ତାହା ମଧ୍ୟ ପତ୍ର ମାଧ୍ୟମ ରେ ସମବାୟ ବିଭାଗ କୁ ଜଣା ଯାଇଥିବା ଜଣା ପଡିଛି ।ୟୁନିଅନ ସଭାପତି ପ୍ରଭାଶିନୀ ଷଡଙ୍ଗୀ କହିଛନ୍ତି ଯେ, ଉଚ୍ଚଶିକ୍ଷା ସଚିବ, ସମବାୟ ସଚିବ ଓ ସମ୍ପୃକ୍ତ ଦୁଇ ମନ୍ତ୍ରୀଙ୍କ ଉପସ୍ଥିତିରେ ଆଲୋଚନା ହେଲେ ଏହାର ଏକ ସକାରାତ୍ମକ ସମାଧାନ ବାହାରିପାରେ । ତେଣୁ ସେ ଆଜି ବିଧାୟକ ଙ୍କୁ ଜଏଣ୍ଟ ଉଚ୍ଚ ସ୍ତରୀୟ ବୈଠକ ପାଇଁ ଅନୁରୋଧ କରିବେ ।ସେ ଆହୁରି କହିଛନ୍ତି ଯେ, ଚୁକ୍ତି ଅନୁଯାୟୀ CT ମହିଳା ମହାବିଦ୍ୟାଳୟର କାର୍ଯ୍ୟକାଳ ସମାପ୍ତ ହେଉଥିବାରୁ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ CT ମହିଳା ବିଦ୍ୟାଳୟ କୁ ଅନ୍ୟତ୍ର ଜମି ପ୍ରଦାନ କରାଯିବା ଆବଶ୍ୟକ ।ଭାରତର ଯଶସ୍ୱୀ ଗୃହ ଓ ସମବାୟ ମନ୍ତ୍ରୀ Amit Shahଙ୍କ ଦିଗଦର୍ଶନରେ ରାଜ୍ୟ ସମବାୟ ୟୁନିଅନକୁ ପାଞ୍ଚଟି ପାଠ୍ୟକ୍ରମ ପାଇଁ ତ୍ରିଭୁବନଦାସ ୟୁନିଭର୍ସିଟିରୁ ଅନୁମୋଦନ ମିଳିଥିବା ସୂଚନା ମିଳିଛି । ଖୁବ ଶୀଘ୍ର ହଷ୍ଟେଲ ଓ ଅତିଥି ଭବନ ନିର୍ମାଣ ପାଇଁ ସମବାୟ ବିଭାଗ ପକ୍ଷରୁ ବଜେଟ ମଞ୍ଜୁର ହେବାର ସମ୍ଭାବନା ରହିଛି ।ଆଜିର ବିଧାୟକ ଶ୍ରୀ ବାବୁ ସିଂଙ୍କ ଆଗମନ କାର୍ଯ୍ୟକ୍ରମକୁ ସମବାୟ କ୍ଷେତ୍ରରେ ଏକ ସକାରାତ୍ମକ ସଙ୍କେତ ଭାବେ ଦେଖା ଯାଉଥିବାବେଳେ ବିଭିନ୍ନ ମହଳରେ ସମସ୍ୟାର ସମାଧାନକୁ ନେଇ ଆଗ୍ରହ ଓ ଚର୍ଚ୍ଚା ବଢ଼ିଛି ।
