ଭୁବନେଶ୍ୱର: ଓଡ଼ିଶାର ଗ୍ରାମୀଣ ସମବାୟ ବ୍ୟାଙ୍କିଂ ବ୍ୟବସ୍ଥାରେ ଦିନକୁ ଦିନ ବଢ଼ୁଥିବା ଆର୍ଥିକ ଅସନ୍ତୁଳନ, ଅନିୟମିତ ଋଣ ବଣ୍ଟନ, ତଦାରଖ ବ୍ୟବସ୍ଥାର ଦୁର୍ବଳତା ଓ ପ୍ରଶାସନିକ ଅବ୍ୟବସ୍ଥା ପ୍ରତି ଗଭୀର ଚିନ୍ତା ପ୍ରକାଶ କରି ନିଖିଳ ଓଡ଼ିଶା ସମବାୟ ବିତ ସଂଘ ପକ୍ଷରୁ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କୁ ଏକ ଜରୁରୀ ଚିଠି ପ୍ରେରଣ କରାଯାଇଛି।ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଓଡ଼ିଶାର ଗ୍ରାମୀଣ ସମବାୟ ବ୍ୟାଙ୍କିଂ ବ୍ୟବସ୍ଥାରେ ପ୍ରାୟ ₹୪,୫୦୦ କୋଟିର ଆର୍ଥିକ ଅସନ୍ତୁଳନ ଦେଖାଦେଇଥିବାବେଳେ, ଏହାର ପ୍ରଭାବ ସରା ଓଡ଼ଶା ଚାଷୀ, PACS ସଦସ୍ୟ ଓ ସାଧାରଣ ଜମାକାରୀଙ୍କ ଉପରେ ପଡ଼ୁଛି। ବିଭିନ୍ନ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ (DCCB) ଏବଂ PACS ସ୍ତରରେ ଯଥାପ୍ରକାର ଆଡିଟ, ତଦନ୍ତ ଓ ନିୟମିତ ମନିଟରିଂ ନ ହେବାରୁ ଆର୍ଥିକ ଶୃଙ୍ଖଳା ଭଙ୍ଗ ହେଉଛି, ବୋଲି ସଂଘ ଅଭିଯୋଗ କରିଛି।ସଂଘ ପକ୍ଷରୁ କୁହାଯାଇଛି ଯେ, ସମବାୟ ବ୍ୟାଙ୍କିଂ ବ୍ୟବସ୍ଥା ଗ୍ରାମୀଣ ଅର୍ଥନୀତିର ମୂଳ ଭିତ୍ତି ହେଉଥିବା ସତ୍ତ୍ୱେ, ଏହାର ସୁପରଭିଜନ ଓ ରିସ୍କ ମ୍ୟାନେଜମେଣ୍ଟ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ରହିଛି। ବହୁ କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ, ଅଦକ୍ଷ ପରିଚାଳନା ଓ ନିୟମ ଉଲ୍ଲଂଘନ ଫଳରେ ସମବାୟ ସଂସ୍ଥାଗୁଡ଼ିକ ଆର୍ଥିକ ସଙ୍କଟ ଦିଗକୁ ଗତି କରୁଛନ୍ତି।ଚିଠିରେ କେନ୍ଦ୍ର ସରକାରଙ୍କ ତରଫରୁ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ, ସ୍ୱତନ୍ତ୍ର ଆର୍ଥିକ ଅଡିଟ, ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ସମବାୟ ବ୍ୟାଙ୍କିଂ ବ୍ୟବସ୍ଥାର ସୁପରଭିଜନ ମେକାନିଜମକୁ ଆଧୁନିକ ଓ ପାରଦର୍ଶୀ କରିବା ପାଇଁ ବିଶେଷ ପଦକ୍ଷେପ ନେବାକୁ ଦାବି କରାଯାଇଛି।ନିଖିଳ ଓଡ଼ିଶା ସମବାୟ ବିତ ସଂଘ ଚେତାବନୀ ଦେଇଛି ଯେ, ଯଦି ଶୀଘ୍ର କେନ୍ଦ୍ରୀୟ ହସ୍ତକ୍ଷେପ ହେବ ନାହିଁ, ତେବେ ଓଡ଼ିଶାର ଗ୍ରାମୀଣ ସମବାୟ ଋଣ ବ୍ୟବସ୍ଥା ଗଭୀର ସଙ୍କଟରେ ପଡ଼ିପାରେ ଓ ଏହାର ପ୍ରଭାବ ଲକ୍ଷାଧିକ ଚାଷୀ ଓ ଗ୍ରାମୀଣ ପରିବାରଙ୍କ ଜୀବିକା ଉପରେ ପଡ଼ିବ ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ ସଙ୍ଘ ଜଣାଇଛି l
