ଭୁବନେଶ୍ୱର: ବୁଧବାର ଦିନ କିଛି ସମବାୟ ସଂପୃକ୍ତ ବ୍ୟକ୍ତି ସମବାୟ ସଚିବଙ୍କୁ ସାକ୍ଷାତ କରିବା ପାଇଁ ଲୋକସେବା ଭବନ ଯାଇଥିଲେ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଦୂରଦୂରାନ୍ତରୁ ଆସିଥିବା ଏହି ଲୋକମାନେ ଭାବିଥିଲେ ଯେ, ଦୀର୍ଘଦିନର କିଛି ସମସ୍ୟାର ସମାଧାନ ହେବ। ବହୁ କଷ୍ଟରେ ଲାଇନରେ ଛିଡା ହୋଇ ଅନ୍ୟ ବିଭାଗର ନାଁରେ ପାସ୍ ଯୋଗାଡ କରି ସେମାନେ ସମବାୟ ବିଭାଗକୁ ପହଞ୍ଚିଥିଲେ।କିନ୍ତୁ ସେଠାରେ ପହଞ୍ଚି ଦେଖିଲେ ଏକ ଅଜବ ନିରବତା। କାର୍ଯ୍ୟାଳୟରେ କାଉ କୋଇଲି ମଧ୍ୟ ନଥିବା ଭଳି ପରିସ୍ଥିତି। ବଡ଼ ବଡ଼ ଅଧିକାରୀଙ୍କ ଦେଖା ନାହିଁ। କାହିଁକି ଏଭଳି ଅବସ୍ଥା ତାହା ବୁଝିବାକୁ ଚେଷ୍ଟା କଲେ ମଧ୍ୟ କେହି ସ୍ପଷ୍ଟ କିଛି କେହି କହିପାରିଲେ ନାହିଁ।ପରେ ସେମାନେ ଲୋକସେବା ଭବନ ପଛପଟ ନଅ ତାଲା ଚା ଖଟିକୁ ଯାଇଥିଲେ। ସେଠାରେ କିଛି ସମବାୟ ପ୍ରେମୀ ଓ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା। ସମବାୟ ବିଭାଗର ଏହି ନିରବତା ସମ୍ପର୍କରେ ପଚାରିବାରୁ ଜଣେ ସମବାୟ ଅଧିକାରୀ ହସି ହସି କହିଥିଲେ — କମିଶନର ରାଜେଶ ପାଟିଲ ଛୁଟିରେ ଅଛନ୍ତି। ତେଣୁ କିଏ କେଉଁଠି ମିଛ ଟୁର୍ ଦେଖାଇ ବୁଲୁଥିବେ ବୋଲି ଥିଲା ତାଙ୍କ ଉତ୍ତର ।ଏହି ଉତ୍ତର ଶୁଣି ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଠିଥିଲା — ଯଦି ଜଣେ ଅଧିକାରୀ ଛୁଟିରେ ଯାଆନ୍ତି, ତେବେ ସମଗ୍ର ବିଭାଗ କଣ ଅଚଳ ହୋଇଯିବ ? ସାଧାରଣ ଲୋକ ଓ ସମବାୟ କର୍ମୀଙ୍କ କାମ କଣ ଏଭଳି ଭାବେ ଅବହେଳିତ ହେବ ?ସମଗ୍ର ଘଟଣାକୁ ଦେଖି ଲାଗିଲା ଯେ, “ବାଘ ନଥିଲେ ମିରିଗ ନାଚ” ପୁରାଣ କାହାଣୀଟି ସତରେ ଏବେ ସମବାୟ ବିଭାଗରେ ପ୍ରତିଫଳିତ ହେଉଛି।
