ଭୁବନେଶ୍ୱର:ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ୫ମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆସନ୍ତା ୨୯ ଜୁନ ୨୦୨୬ ତାରିଖ ସକାଳ ୯.୩୦ ମିନିଟ ସମୟରେ ଭୁବନେଶ୍ୱରସ୍ଥିତ ସମବାୟ ଭବନ ପରିସରରେ ଏକ ଭବ୍ୟ ଓ ମହାସମାରୋହରେ ଉଦ୍ଘାଟନୀ ଉତ୍ସବ ପାଳନ କରାଯିବ। ଏହି ଅବସରରେ ସମବାୟ କ୍ଷେତ୍ରର ବିକାଶ, ସଶକ୍ତିକରଣ ଓ ଆତ୍ମନିର୍ଭର ଭାରତ ଗଠନରେ ସମବାୟର ଭୂମିକା ଉପରେ ବିଶେଷ ଆଲୋଚନା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ।ଏହି ଉତ୍ସବରେ ମାନ୍ୟବର ସମବାୟ, ହସ୍ତତନ୍ତ, ବସ୍ତ୍ର ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ। ସେହିପରି ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଆଇଏଏସ, କମିଶନର-ତଥା-ଶାସନ ସଚିବ, ସମବାୟ ବିଭାଗ, ଓଡ଼ିଶା ସମ୍ମାନୀୟ ଅତିଥି ଭାବେ ଯୋଗଦେବେ। ଶ୍ରୀ ମନିଷ ଅଗ୍ରୱାଲ, ଆଇଏଏସ, ସମବାୟ ନିବନ୍ଧକ, ଓଡ଼ିଶା ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ରହି ସମବାୟ କ୍ଷେତ୍ରର ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ସମ୍ପର୍କରେ ମତବ୍ୟକ୍ତ କରିବେ।ଭାରତ ସରକାର ୨୦୨୧ ମସିହାରେ ପୃଥକ ସମବାୟ ମନ୍ତ୍ରଣାଳୟ ଗଠନ କରିବା ପରଠାରୁ ଦେଶର ସମବାୟ ଆନ୍ଦୋଳନକୁ ନୂତନ ଦିଗ ଓ ଗତି ମିଳିଛି। “ସହକାରରୁ ସମୃଦ୍ଧି” ମୂଳମନ୍ତ୍ରକୁ ଆଧାର କରି କୃଷି, ଗ୍ରାମୀଣ ଅର୍ଥନୀତି, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟ ଚାଷ, ମହିଳା ସଶକ୍ତିକରଣ ଏବଂ କ୍ଷୁଦ୍ର ଉଦ୍ୟମ କ୍ଷେତ୍ରରେ ସମବାୟ ସଂସ୍ଥାମାନଙ୍କ ଭୂମିକାକୁ ଆହୁରି ସୁଦୃଢ଼ କରାଯାଇଛି। ଏହି ପାଞ୍ଚ ବର୍ଷ ମଧ୍ୟରେ ସମବାୟ କ୍ଷେତ୍ରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଦେଶର କୋଟି କୋଟି ସମବାୟ ସଦସ୍ୟ ଏହାର ସୁଫଳ ପାଇଛନ୍ତି।ଏହି ଅବସରରେ ରାଜ୍ୟର ବିଭିନ୍ନ ସମବାୟ ସଂସ୍ଥାର ପଦାଧିକାରୀ, ପରିଚାଳକ, କର୍ମଚାରୀ, ସମବାୟ କର୍ମୀ ଓ ସଦସ୍ୟମାନେ ବହୁ ସଂଖ୍ୟାରେ ଯୋଗଦେବେ। ସମବାୟ କ୍ଷେତ୍ରର ସଫଳତା, ଭବିଷ୍ୟତ ଯୋଜନା ଏବଂ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ।ରାଜ୍ୟ ସମବାୟ ୟୁନିଅନର ସଭାପତି ଶ୍ରୀମତୀ ପ୍ରଭାସିନୀ ଷଡ଼ଙ୍ଗୀ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ସମବାୟ ମନ୍ତ୍ରଣାଳୟର ୫ମ ପ୍ରତିଷ୍ଠା ଦିବସ ପାଳନ ରାଜ୍ୟର ସମବାୟ ଆନ୍ଦୋଳନକୁ ଆହୁରି ସୁଦୃଢ଼ କରିବା ସହିତ ସମବାୟ ପ୍ରତି ସାଧାରଣ ଜନତାଙ୍କ ଆସ୍ଥା ଓ ଅଂଶଗ୍ରହଣକୁ ବୃଦ୍ଧି କରିବ। ସେ ସମସ୍ତ ସମବାୟ ସଂସ୍ଥାର ପ୍ରତିନିଧି, ସଦସ୍ୟ ଏବଂ ସମବାୟପ୍ରେମୀ ଜନସାଧାରଣଙ୍କୁ ଏହି ଉତ୍ସବରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି।
