ଭୁବନେଶ୍ୱର: ସମବାୟ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଗୁଣାତ୍ମକ ଓ ଦକ୍ଷ କରିବା ଦିଗରେ ଆଉ ଏକ ପଦକ୍ଷେପ ନେଇଛି ସମବାୟ ବିଭାଗ। ପ୍ୟାକ୍ସ (PACS) ଓ ଲ୍ୟାମ୍ପସ୍ (LAMPCS) କର୍ମଚାରୀଙ୍କ ପାଇଁ OS-CIT ମାଧ୍ୟମରେ ‘IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଲୋକସେବା ଭବନସ୍ଥିତ ଷ୍ଟେଟ୍ କନଭେନସନ୍ ସେଣ୍ଟରରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ରାଜ୍ୟର ୨,୭୧୧ଟି ସମବାୟ ସମିତି (PACS/LAMPCS)ର ୫,୪୨୨ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ କମ୍ପ୍ୟୁଟର ଶିକ୍ଷା ସହିତ NLPS/ERP ସମ୍ପର୍କିତ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯିବ।OKCLର ୫୪୦ଟି ଅଧିକୃତ ଶିକ୍ଷା କେନ୍ଦ୍ର ମାଧ୍ୟମରେ ସମିତି କର୍ମଚାରୀମାନେ ନିଜ ନିକଟସ୍ଥ ଶିକ୍ଷା କେନ୍ଦ୍ରରେ ଏହି ପ୍ରଶିକ୍ଷଣ ଗ୍ରହଣ କରିପାରିବେ। ଏହା ଫଳରେ ସମବାୟ ସଂସ୍ଥାଗୁଡ଼ିକର ଦୈନନ୍ଦିନ କାର୍ଯ୍ୟରେ ଡିଜିଟାଲ୍ ଦକ୍ଷତା ବୃଦ୍ଧି ସହିତ ପ୍ରଯୁକ୍ତିଭିତ୍ତିକ ସେବା ପ୍ରଦାନ ଅଧିକ ସୁଗମ ଓ କାର୍ଯ୍ୟକ୍ଷମ ହେବ।ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସମବାୟ ବିଭାଗର କମିଶନର-ତଥା-ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀ ମନୀଷ ଅଗ୍ରୱାଲ, OKCLର ପରିଚାଳନା ନିର୍ଦ୍ଦେଶକ ଡଃ ମନୋରଞ୍ଜନ ପୁଥାଲଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ଡିଜିଟାଲ୍ ଦକ୍ଷତା, ଦକ୍ଷ ସମବାୟ କର୍ମଚାରୀ ଓ ସ୍ୱଚ୍ଛ ସମବାୟ ବ୍ୟବସ୍ଥା—ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ।
