ଅନୁଗୋଳ: ଅନୁଗୋଳ ସହରସ୍ଥିତ ଅନୁଗୋଳ ସମବାୟ କେନ୍ଦ୍ରୀୟ ବ୍ୟାଙ୍କର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ବ୍ୟାଙ୍କର ସଭାପତି ଶ୍ରୀ ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବ୍ୟାଙ୍କର ଗତବର୍ଷର କାର୍ଯ୍ୟକଳାପ, ଆର୍ଥିକ ସ୍ଥିତି ଓ ଆଗାମୀ ବର୍ଷର କାର୍ଯ୍ୟଯୋଜନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସଭାରେ ପରିଚାଳନା ପରିଷଦର ସଦସ୍ୟ/ସଦସ୍ୟା, ବିଭିନ୍ନ ସେବା ସମବାୟ ସମିତିର ପ୍ରତିନିଧି, ଭାଗୀଦାର ସଦସ୍ୟ ଓ ବ୍ୟାଙ୍କର ଅଧିକାରୀ-କର୍ମଚାରୀମାନେ ଯୋଗଦେଇଥିଲେ। କୃଷି ଋଣ ଓ କୃଷକଙ୍କୁ ଆର୍ଥିକ ସହାୟତା ଉପରେ ସଭାରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ସମବାୟ ସଂସ୍ଥାଗୁଡ଼ିକୁ ଅଧିକ ସୁଦୃଢ଼ କରିବା, ବ୍ୟାଙ୍କିଂ ସେବାର ବିସ୍ତାର ଓ ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ପକ୍ଷରୁ ବ୍ୟାଙ୍କର ବାର୍ଷିକ କାର୍ଯ୍ୟକଳାପ ଓ ପ୍ରଗତିର ବିବରଣୀ ଉପସ୍ଥାପନ କରାଯାଇଥିଲା। ଆଗାମୀ ଦିନରେ ବ୍ୟାଙ୍କର ବ୍ୟବସାୟ ବୃଦ୍ଧି ସହିତ ସଦସ୍ୟ ଓ କୃଷକମାନଙ୍କୁ ଅଧିକ ସୁବିଧା ଯୋଗାଇବା ପାଇଁ ବିଭିନ୍ନ ପଦକ୍ଷେପ ନେବା ଉପରେ ମତ ପ୍ରକାଶ ପାଇଥିଲା।ସଭାରେ ବାର୍ଷିକ ହିସାବ-ନିକାଶ, ରିପୋର୍ଟ ଓ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ପରେ ଆବଶ୍ୟକୀୟ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଶେଷରେ ସଭାପତି ଶ୍ରୀ ସନ୍ତୋଷ କୁମାର ପ୍ରଧାନ ସମସ୍ତ ସଦସ୍ୟ, ସମବାୟ ପ୍ରତିନିଧି ଓ କର୍ମଚାରୀଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ଆଗାମୀ ଦିନରେ ବ୍ୟାଙ୍କକୁ ଅଧିକ ସୁଦୃଢ଼ ଓ ଜନମୁଖୀ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
