ବାଲେଶ୍ୱର:ଚଳିତ ରବି ଋତୁରେ ଧାନ ବିକ୍ରୟ ପାଇଁ କଇନଗରୀ ସେବା ସମବାୟ ସମିତି ଅନ୍ତର୍ଗତ ଅନେକ ଚାଷୀ ପ୍ରଥମେ ସାହାଡ଼ା ସେବା ସମବାୟ ସମିତିରେ ପଞ୍ଜୀକରଣ କରିଥିଲେ। ପରବର୍ତ୍ତୀ ସମୟରେ ସରକାରୀ ନିଷ୍ପତ୍ତି ଅନୁଯାୟୀ ସେହି ଚାଷୀମାନଙ୍କ ଧାନ କଇନଗରୀ ସମିତି ମାଧ୍ୟମରେ କ୍ରୟ କରାଯିବାକୁ ସ୍ଥିର ହୋଇଥିଲା। ଏଥିପାଇଁ କଇନଗରୀରେ ନୂତନ ଧାନ ମଣ୍ଡି ଖୋଲାଯାଇଥିବା ସହ ସରକାରଙ୍କ ପକ୍ଷରୁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି।ମାତ୍ର ଦୁଃଖର ବିଷୟ ହେଉଛି, ଏପର୍ଯ୍ୟନ୍ତ କଇନଗରୀ ମଣ୍ଡିରେ ଚାଷୀମାନଙ୍କ ଧାନ କ୍ରୟ ହୋଇପାରି ନାହିଁ। ଫଳରେ ଅନେକ ଚାଷୀଙ୍କ ଟୋକନର ବୈଧତା ଅବଧି ଶେଷ ହେବାକୁ ବସିଛି। ଏହା ମଧ୍ୟରେ ସାହାଡ଼ା ସମିତିର କିଛି ବ୍ୟକ୍ତି କଇନଗରୀ ଅଞ୍ଚଳର ଚାଷୀମାନଙ୍କୁ ପ୍ରଲୋଭିତ କରି ସାହାଡ଼ା ମଣ୍ଡିକୁ ନେଇ ଚଞ୍ଚକତାପୂର୍ଣ୍ଣ ଭାବେ କଇନଗରୀ କୋଡ୍ରେ ଧାନ ଉଠାଉଥିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ, ଚାଷୀମାନଙ୍କୁ କୁହାଯାଉଛି ଯେ କଇନଗରୀରେ ସେମାନଙ୍କ ଧାନ କ୍ରୟ ହେବ ନାହିଁ ଏବଂ ସାହାଡ଼ା ମଣ୍ଡିରେ ଧାନ ବିକ୍ରୟ କରିବାକୁ ପଡ଼ିବ। ଏହି ଘଟଣା ସମ୍ପର୍କରେ ପ୍ରାୟ ୭୦ରୁ ୮୦ ଜଣ ଚାଷୀ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିବା ସେମାନେ ଦାବି କରିଛନ୍ତି।ଚାଷୀମାନଙ୍କ ମଧ୍ୟରେ ଏହି ଚଞ୍ଚକତା ପଛରେ ସାହାଡ଼ା ସମିତିର ସଭାପତିଙ୍କ ସମ୍ପୃକ୍ତି ଥିବା ସହ କିଛି ଉଚ୍ଚପଦସ୍ଥ ଅଧିକାରୀଙ୍କ ଭୂମିକା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଉଛି। ଏହାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।ନିର୍ଦ୍ଧାରିତ ସମୟ ମଧ୍ୟରେ ଚାଷୀମାନଙ୍କ ଧାନ ଉଠାଯାଇନଥିଲେ ଆଗାମୀ ଦିନରେ ବ୍ୟାପକ ଚାଷୀ ଆନ୍ଦୋଳନ ହେବ ବୋଲି ସତର୍କ କରାଯାଇଛି। ଏ ସମ୍ପର୍କରେ ବାଲେଶ୍ୱର ଜିଲ୍ଲା ଉପ-ନିବନ୍ଧକ ସମବାୟ ସମିତି (DRCS)ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି।
