କଟକ: ରାଜ୍ୟର ସର୍ବବୃହତ୍ ସରକାରୀ ଚିକିତ୍ସାନୁଷ୍ଠାନ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ନିର୍ମାଣଧୀନ ନୂଆ ମେଗା ବିଲ୍ଡିଂର କାମକୁ ସମୀକ୍ଷା କରି ତାହାକୁ ଶୀଘ୍ର ଶେଷ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ସଚିବ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପରେ ନିର୍ମାଣ ହେଉଥିବା ୪ଟି ଟାୱାର ମଧ୍ୟରୁ ୨ଟି ଟାୱାରର କାମ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ବୋଲି ସୂଚନା ମିଳିଛି। ତେବେ ସେଥିରେ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଓ ଡିଜିଟାଲ ବ୍ୟବସ୍ଥା ସ୍ଥାପନ ପାଇଁ ଆହୁରି କିଛି ସମୟ ଲାଗିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ନୂଆ ବ୍ୟବସ୍ଥା ଦ୍ୱାରା ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ ପରେ ଆଉ ପରୀକ୍ଷା ପାଇଁ ବିଭାଗରୁ ବିଭାଗକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଅତ୍ୟାଧୁନିକ ସ୍ୱୟଂଚାଳିତ ବ୍ୟବସ୍ଥା ମାଧ୍ୟମରେ ନମୁନା ସିଧାସଳଖ ପରୀକ୍ଷାଗାରକୁ ପହଞ୍ଚିବ, ଯାହାଦ୍ୱାରା ସମୟ ବଞ୍ଚିବା ସହ ରୋଗୀମାନେ ଶୀଘ୍ର ରିପୋର୍ଟ ପାଇପାରିବେ।
