ଭୁବନେଶ୍ୱର: ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ରାଜନୈତିକ ହସ୍ତକ୍ଷେପ ଓ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରକାଶିତ ତ୍ରୁଟିପୂର୍ଣ୍ଣ ବହିକୁ ନେଇ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଜୋରଦାର ଆନ୍ଦୋଳନ ଡାକରା ଦିଆଯାଇଛି।ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା, ଭୁଲ ବହି ତୁରନ୍ତ ପ୍ରତ୍ୟାହାର ଏବଂ ଏହାର ସ୍ଥାନରେ ସଠିକ୍ ଓ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ପ୍ରଦାନ ଦାବିରେ ଅଗଷ୍ଟ ୧୭ ତାରିଖରେ ଭୁବନେଶ୍ୱର ଲୋୟର ପିଏମଜିଠାରେ ଆୟୋଜିତ ହେବାକୁ ଥିବା ଆମରଣ ଅନଶନ “ଶିକ୍ଷା ସତ୍ୟାଗ୍ରହ”କୁ ରାଷ୍ଟ୍ରୀୟ ଅଭିଭାବକ ମହାସଂଘ (National Parents Federation) ପୂର୍ଣ୍ଣ ସମର୍ଥନ ଜଣାଇଛି।ଏ ସମ୍ପର୍କରେ ରାଷ୍ଟ୍ରୀୟ ଅଭିଭାବକ ମହାସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ରଞ୍ଜନ ଦାସ ଏକ ପ୍ରେସ ବିଜ୍ଞପ୍ତିରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଆଜିର କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଅଭିଭାବକ ମହାସଂଘର ରାଷ୍ଟ୍ର ସଚିବ ଶ୍ରୀ ପ୍ରଦୀପ୍ତ ମିଶ୍ର, କାର୍ଯ୍ୟକାରୀ ସଭାପତି ଶ୍ରୀ ଶଙ୍କର ସାମନ୍ତରାୟ, ଉପସଭାପତି ଶ୍ରୀ ଶିଶିର ସାହୁ, ଶ୍ରୀ ଅନନ୍ତ ରାଉତଙ୍କ ସମେତ ମହାସଂଘ ପରିଚାଳନା କମିଟିର ବହୁ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ।ମହାସଂଘ ପକ୍ଷରୁ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ କୌଣସି ପ୍ରକାରର ସାଲିସ୍ କରାଯାଇପାରିବ ନାହିଁ। ତେଣୁ ସରକାର ତୁରନ୍ତ ଅଭିଭାବକମାନଙ୍କ ଦାବି ଉପରେ ଗୁରୁତ୍ୱ ସହ ବିଚାର କରି ଭୁଲ ବହି ପ୍ରତ୍ୟାହାର କରିବା ସହ ନୂତନ ଓ ସଠିକ୍ ପାଠ୍ୟପୁସ୍ତକ ପ୍ରଦାନ କରିବାକୁ ଦାବି କରାଯାଇଛି।ଶିକ୍ଷାରେ ସତ୍ୟ, ସ୍ୱଚ୍ଛତା ଓ ଦାୟିତ୍ୱବୋଧ ପାଇଁ ଅଭିଭାବକଙ୍କ ଏହି ସଂଗ୍ରାମ ଜାରି ରହିବ ବୋଲି କାର୍ଯକାରୀ ସଭାପତି ଶ୍ରୀ ଦାସ ଏକ ପ୍ରେସ ବିବୃତି ରେ ଜଣାଇଛନ୍ତି l
