ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ଗଜପତି ଜିଲ୍ଲାର ଜଣେ ବୁଥ୍ ସ୍ତରୀୟ ଅଧିକାରୀ (BLO)ଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ଅଧିକାରୀ ଜଣକ ହେଉଛନ୍ତି ସହକାରୀ ଶିକ୍ଷକ ରାମାନୁଜ ଦାସ। ଗଜପତି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ପାରଳାଖେମୁଣ୍ଡି ବିଧାନସଭା ମଣ୍ଡଳୀ (୧୩୭) ଅନ୍ତର୍ଗତ କାଶିନଗର ବ୍ଲକର ୧୧୦ ନମ୍ବର ବୁଥ୍ (ସିଦ୍ଧାମଡଙ୍ଗ) ପାଇଁ ରାମାନୁଜ ଦାସ ବିଏଲଓ ଭାବେ ନିୟୋଜିତ ଥିଲେ। ଭୋଟର ତାଲିକାର ସଠିକତା ଏବଂ ସତ୍ୟନିଷ୍ଠା ବଜାୟ ରଖିବା ପାଇଁ SIR ପ୍ରକ୍ରିୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ, ସେ ନିଜ ଦାୟିତ୍ୱ ତୁଲାଇବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ନିର୍ବାଚନ କାର୍ଯ୍ୟରେ ଶିଥିଳତା ଏବଂ ସରକାରୀ ନିର୍ଦ୍ଦେଶକୁ ଅବମାନନା କରିଥିବା ଦର୍ଶାଇ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।
