ଭୁବନେଶ୍ୱର:ରାଜ୍ୟ ଯୋଜନା ବୋର୍ଡ ନାମ ପରିବର୍ତ୍ତନ ହୋଇ ହେଲା ‘ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭି’ (SITI-Odisha) । କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଢାଞ୍ଚାରେ ଏହାର ଗଠନ ହୋଇଛି । ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଆସିଥିବା ସଂକଳ୍ପକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ସିଟି-ଓଡ଼ିଶାର ଅଧ୍ୟକ୍ଷ ରହିବେ । ଏଥିରେ ନିଯୁକ୍ତ ଉପାଧ୍ୟକ୍ଷଙ୍କୁ ମିଳିବ କ୍ୟାବିନେଟ୍ ପାହ୍ୟା । ସେହିପରି ଚାରି ଜଣ ପୂର୍ଣ୍ଣକାଳୀନ ସଦସ୍ୟ, ବିଭିନ୍ନ ବିଭାଗର ନଅ ଜଣ ପଦାଧିକାରୀ ଏବଂ ପ୍ରତିଷ୍ଠିତ ଅନୁଷ୍ଠାନର ଦୁଇ ଜଣ ବିଶେଷଜ୍ଞଙ୍କୁ ଦୁଇଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିବେ । ସାଂଗଠନିକ ଢାଞ୍ଚା ଅନୁଯାୟୀ କ୍ୟାବିନେଟ ମନ୍ତ୍ରୀ ପଦର ଉପାଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବେ । ସଦସ୍ୟମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ମିଳିବ । ପରିଷଦରେ ରାଜ୍ୟ ଉନ୍ନୟନ କମିଶନର ସଦସ୍ୟ ସଚିବ ରହିବେ । ଜଣେ ବରିଷ୍ଠ ଆଇଏଏସଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(CEO) ଦାୟିତ୍ୱ ମିଳିବ । ସିଟି-ଓଡ଼ିଶା ଅଧୀନରେ ରାଜ୍ୟ ମନିଟରିଂ ଏବଂ ମୂଲ୍ୟାୟନ କାର୍ଯ୍ୟାଳୟ ନାମରେ ଏକ ସଂଲଗ୍ନ କାର୍ଯ୍ୟାଳୟ ମଧ୍ୟ ରହିବ । ଏହା ରାଜ୍ୟର ନୋଡାଲ ପ୍ରତିଷ୍ଠାନ ଭାବରେ କାର୍ଯ୍ୟ କରିବ ।
