ମହାରାଷ୍ଟ୍ର: ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ପୁଣେର ପ୍ରସିଦ୍ଧ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କେତନଙ୍କ ଭାବି ପତ୍ନୀ ସିୟା ଗୋୟଲ ଏବଂ ତାଙ୍କ ପ୍ରେମିକ ଚେତନ ବର୍ତ୍ତମାନ ପୁଲିସ ହେପାଜତରେ ଅଛନ୍ତି । ଏହି ସମୟରେ ସିୟା ଗୋୟଲଙ୍କ ବାପା ପ୍ରବୀଣ ଗୋୟଲଙ୍କ ବୟାନ ସମସ୍ତଙ୍କୁ ଚକିତ କରିଦେଇଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରବୀଣ ଗୋୟଲ କହିଛନ୍ତି, “ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଅଗ୍ରୱାଲ ପରିବାର ନିଜ ପୁଅକୁ ହରାଇଛନ୍ତି, କିନ୍ତୁ ମୁଁ କେତନକୁ ମୋ ନିଜ ପୁଅ ଭଳି ଭଲ ପାଉଥିଲି । ଆଜି ଆମେ ଏଭଳି ଜଣେ ଭଲ ପୁଅକୁ ହରାଇଥିବାରୁ ଗଭୀର ମର୍ମାହତ ।” କୋହଭରା କଣ୍ଠରେ ପ୍ରବୀଣ ପୁଣି କହିଛନ୍ତି, “ଏହି ଘଟଣାରେ ଯିଏ ବି ଦୋଷୀ, ତାକୁ କଠୋରରୁ କଠୋର ଦଣ୍ଡ ମିଳିବା ଦରକାର । ଯେଉଁ ଦୁର୍ଗରୁ ପଡ଼ି ଆମ କେତନର ମୃତ୍ୟୁ ହୋଇଛି, ଏହି ହତ୍ୟାକାଣ୍ଡ ପଛରେ ଯିଏ ବି ଅଭିଯୁକ୍ତ ଅଛି—ସେ ଭଲେ ମୋ ନିଜ ଝିଅ କାହିଁକି ନହେଉ, ତାକୁ ବି ସେହି ଦୁର୍ଗ ଉପରୁ ତଳକୁ ଫିଙ୍ଗି ଦିଆଯାଉ ।” ପ୍ରବୀଣ ଗୋୟଲ କହିଛନ୍ତି ଯେ, “ଏକ ବାପା ହିସାବରେ ମୁଁ ଅନୁଭବ କରିପାରୁଛି ଯେ, ଅଗ୍ରୱାଲ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି । ଉଭୟଙ୍କ ବିବାହକୁ ନେଇ ଆମର ବହୁତ ଆଶା ଥିଲା । ନିର୍ବନ୍ଧ ପରଠାରୁ ସିୟା ସେଥିପାଇଁ ବହୁତ ଖୁସି ଥିଲା ଏବଂ ସବୁବେଳେ କହୁଥିଲା ଯେ କେତନ ବହୁତ ଭଲ ପିଲା, ତାକୁ ବହୁତ ଭଲ ଶାଶୁ-ଶଶୁର ଏବଂ ନଣନ୍ଦ ମିଳିଛନ୍ତି ।”
