ଭୁବନେଶ୍ୱର:ବିଜେଡି ର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଦୁର୍ଗା ଛୁରିଆଙ୍କୁ ନିଲମ୍ବନ କରାଯାଇଛି। ସେ କନ୍ଧମାଳ DRCSରେ SARCS ଭାବେ କାର୍ଯ୍ୟ କରୁଥିଲେ। ଏହା ସହିତ ସେ ଭୁବନେଶ୍ୱର ସମବାୟ ମୁଖ୍ୟାଳୟରେ SARCS ଭାବେ କାର୍ଯ୍ୟ କରୁଥିଲେ। ରାଜନୀତିକ ସମ୍ପୃକ୍ତି ଅଭିଯୋଗରେ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇଛି। ଓଡ଼ିଶା ସରକାରୀ ସେବା ଆଚରଣ ନିୟମ, ୧୯୫୯ ଅନୁଯାୟୀ ତାଙ୍କୁ ନିଲମ୍ବନ କରାଯାଇଥିବା ସମବାୟ ସମିତି ନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ ଏକ ରାଜନୀତିକ ଦଳ ସହ ଜଡ଼ିତ ରହିବା ଓ ତା’ର ବିଭିନ୍ନ କାର୍ଯ୍ୟକଳାପରେ ଭାଗ ନେଇଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଥିଲା।ଓଡ଼ିଶା ସିଭିଲ ସର୍ଭିସେସର ନିୟମ -୧୨ ଅନୁଯାୟୀ ସମବାୟ ସମିତିର ନିବନ୍ଧକ ତାଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବନ ଅବଧିରେ ଶ୍ରୀ ଛୁରିଆ ଭୁବନେଶ୍ୱରସ୍ଥିତ ସମବାୟ ସମିତି ସମୂହର ନିବନ୍ଧକଙ୍କ କାର୍ଯ୍ୟାଳୟ ଅଧୀନରେ ରହିବେ। ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡିପାରିବେ ନାହିଁ।
