ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଚାଲିଥିବା ସମୟରେ ଦର୍ଶକ ପରସ୍ପରକୁ ମାଡ ମାରିବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ମ୍ୟାଚ ଲକ୍ଷ୍ନୌର ଘରୋଇ ମୈଦାନ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଖେଳାଯାଇଥିଲା। ମ୍ୟାଚ ଚାଲିଥିବା ସମୟରେ ଗ୍ୟାଲେରୀରେ ବସିଥିବା କିଛି ଦର୍ଶକ ପରସ୍ପର ସହ ଝଗଡା କରୁଥିବାର ନଜର ଆସିଥିଲା । କେହି ଜଣେ ଦର୍ଶକ ଏହାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଭିଡିଓରେ କିଛି ଦର୍ଶକ ଝଗଡା ଲାଗିଥିବାବେଳେ ହଟାତ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ ଗୋଇଠା ମାରିଥିଲେ ଓ ସେହି ବ୍ୟକ୍ତି ତଳେ ପଡ଼ିଥିଲେ। ତଳେ ପଡିଥିବା ବ୍ୟକ୍ତି ପୁନର୍ବାର ଉଠିବା ସହ ଉକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରିବାକୁ ଲାଗିଥିଲେ । ପୂର୍ବରୁ ଲକ୍ଷ୍ନୌ ଓ ଦିଲ୍ଲୀର ମ୍ୟାଚ ସମୟରେ ଏଭଳି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିଲା । ସେ ଭିଡିଓରେ ମଧ୍ୟ ଦର୍ଶକ ହାତାହାତି ହେବାର ନଜର ଆସିଥିଲା । ଏଭଳି ଘଟଣା କ୍ରିକେଟ ଷ୍ଟାଡିୟମରେ ନିନ୍ଦାଜନକ ବିଷୟ । କ୍ରିକେଟ ଷ୍ଟାଡିୟମକୁ ଫ୍ୟାନ୍ସ ମନୋରଞ୍ଜନ ପାଇଁ ଯାଉଥିବାବେଳେ ଏଭଳି ଘଟଣା ଭୟର ବାତାବରଣ ସୃଷ୍ଟି କରିପାରେ । ମ୍ୟାଚ ସମୟରେ ପୋଲିସ ପ୍ରଶାସନ ଗ୍ରାଉଣ୍ଡରେ ମୁତୟନ ଥିଲେ ମଧ୍ୟ ଏଭଳି ସ୍ଥିତି ଦର୍ଶକଙ୍କୁ ଭୟବିତ୍ତ କରିପାରେ । ତେଣୁ ଅନେକ ସମୟର ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଆବଶ୍ୟକ ।
