ନୂଆପଡ଼ା:ସମବାୟ ସମିତିଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି, ଆଧୁନିକ ପରିଚାଳନା ବ୍ୟବସ୍ଥାର ପ୍ରଚାର ଏବଂ ସମିତିଗୁଡ଼ିକୁ ଆର୍ଥିକ ଭାବେ ଅଧିକ ସଶକ୍ତ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲାରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ମଡେଲ PACS (ପ୍ରାଥମିକ କୃଷି ସମବାୟ ସମିତି) ସମ୍ପାଦକମାନଙ୍କୁ ନେଇ ଏକ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଏହି ପ୍ରଶିକ୍ଷଣ ଶିବିର ସମବାୟ କ୍ଷେତ୍ରରେ ନୂତନ ଚିନ୍ତାଧାରା, ଡିଜିଟାଲ୍ ପରିଚାଳନା ଓ ବ୍ୟବସାୟିକ ବିକାଶର ଦିଗକୁ ଗୁରୁତ୍ୱ ଦେଇଛି।ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଶେଷ ଭାବେ PACS ପରିଚାଳିତ ଜନସେବା କେନ୍ଦ୍ର (CSC) ଗୁଡ଼ିକର ସଫଳ ପରିଚାଳନା, ଜନସାଧାରଣଙ୍କୁ ଦିଆଯାଉଥିବା ବିଭିନ୍ନ ଡିଜିଟାଲ୍ ଓ ସରକାରୀ ସେବାର ସୁବିଧା, ସେବା ବିସ୍ତାରର ସମ୍ଭାବନା ଓ ଆୟ ବୃଦ୍ଧିର ଉପାୟ ସମ୍ପର୍କରେ ସମ୍ପାଦକମାନଙ୍କୁ ବିସ୍ତୃତ ମାର୍ଗଦର୍ଶନ ଦିଆଯାଇଥିଲା।

ଜନସେବା କେନ୍ଦ୍ର ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନେ ଆଧାର, ପ୍ୟାନ, ବିଭିନ୍ନ ପ୍ରମାଣପତ୍ର, ବ୍ୟାଙ୍କିଂ ସେବା ଓ ଅନ୍ୟାନ୍ୟ ସରକାରୀ ଯୋଜନାର ସୁବିଧା ନିଜ ଅଞ୍ଚଳରେ ପାଇପାରୁଥିବାରୁ ଏହାର ସୁଚାରୁ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହା ସହିତ PACS ଗୁଡ଼ିକର ବ୍ୟବସାୟିକ ବିବିଧକରଣ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। କେବଳ ଋଣ ବଣ୍ଟନ ଓ ଶସ୍ୟ ସଂଗ୍ରହ ଭଳି ପାରମ୍ପରିକ କାର୍ଯ୍ୟକଳାପରେ ସୀମିତ ନ ରହି ସମିତିଗୁଡ଼ିକ କିପରି ନୂତନ ବ୍ୟବସାୟିକ କାର୍ଯ୍ୟରେ ସମ୍ପୃକ୍ତ ହୋଇ ଅତିରିକ୍ତ ଆୟ ସୃଷ୍ଟି କରିପାରିବେ, ସେ ସମ୍ପର୍କରେ ବିଭିନ୍ନ ମଡେଲ୍ ଓ ସଫଳ ଉଦାହରଣ ଉପସ୍ଥାପିତ କରାଯାଇଥିଲା। କୃଷି ଉପକରଣ ବିକ୍ରୟ, ଗୋଦାମ ପରିଚାଳନା, ଉପଭୋକ୍ତା ସାମଗ୍ରୀ ବଣ୍ଟନ, ଡିଜିଟାଲ୍ ସେବା ପ୍ରଦାନ ଓ ଅନ୍ୟାନ୍ୟ ଆର୍ଥିକ କାର୍ଯ୍ୟକଳାପ ମାଧ୍ୟମରେ PACS ଗୁଡ଼ିକୁ ସ୍ୱାବଲମ୍ବୀ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
