ଭୁବନେଶ୍ୱର: ୪୨ କୋଟି ଟଙ୍କାର ସୁଦ୍ଧ ରିହାତି ଯୋଜନା ମଞ୍ଜୁର କଲେ ରାଜ୍ୟ ସରକାର। ରାଜ୍ୟର ଚାଷୀମାନଙ୍କୁ ସଠିକ୍ ସମୟରେ ସାର ଉପଲବ୍ଧ କରାଇବା ଏବଂ ସେମାନଙ୍କୁ କଳାବଜାରୀରୁ ରକ୍ଷା କରିବା ପାଇଁ ଏହା ଏକ ବଡ଼ ପଦକ୍ଷେପ । ସମବାୟ ବିଭାଗର କମିଶନର ତଥା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ଥାୟୀ ଆର୍ଥିକ କମିଟି (SFC) ର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ନୂତନ ଯୋଜନାର ନାମ ହେଉଛି—”ସାରର ପୂର୍ବ-ମହଜୁଦ (ପ୍ରି-ପୋଜିସନିଂ) ପାଇଁ କ୍ୟାଶ୍ କ୍ରେଡିଟ୍ ଋଣ ଉପରେ ସୁଦ୍ଧ ରିହାତି।” ଅର୍ଥ ବିଭାଗ ଚଳିତ ଆର୍ଥିକ ବର୍ଷରୁ ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ଅନୁମୋଦନ ପ୍ରଦାନ କରିସାରିଛି। ଏହି ଯୋଜନା ସମବାୟ ସମିତିଗୁଡ଼ିକର (PACS/LAMPCS) ଏକ ପ୍ରମୁଖ ଆର୍ଥିକ ସମସ୍ୟାର ସମାଧାନ କରିବ। ସାଧାରଣତଃ ଚାଷ ସମୟ ପୂର୍ବରୁ (ଅଗ୍ରୀମ ଭାବେ) ସାର ଆଣି ମହଜୁଦ ରଖିବା ଯୋଗୁଁ ସମିତିଗୁଡ଼ିକ ଉପରେ ମାତ୍ରାଧିକ ସୁଦ୍ଧ ବୋଝ ପଡ଼ିଥାଏ। କ୍ୟାଶ୍ କ୍ରେଡିଟ୍ (CC) ଋଣ ଉପରେ ୧୦୦% ସୁଦ୍ଧ ରିହାତି ପ୍ରଦାନ କରି ରାଜ୍ୟ ସରକାର ଏହି ଆର୍ଥିକ ବାଧାକୁ ଦୂର କରୁଛନ୍ତି। ବେସରକାରୀ ଚ୍ୟାନେଲ ଦ୍ୱାରା ହେଉଥିବା ସାରର ବେଆଇନ ଚୋରା ଚାଲାଣକୁ ରୋକିବା ପାଇଁ, ସମବାୟ କ୍ଷେତ୍ର ମାଧ୍ୟମରେ ସାର ବଣ୍ଟନ ପରିମାଣକୁ ବର୍ତ୍ତମାନର ୨୫-୩୦% ରୁ ବୃଦ୍ଧି କରି ଖରିଫ ୨୦୨୬ ରୁ ୬୦% କୁ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି।ପାଞ୍ଚ ବର୍ଷ ଅବଧି (୨୦୨୬-୨୭ ରୁ ୨୦୩୦-୩୧) ପାଇଁ ସର୍ବମୋଟ ୪୨.୦୦ କୋଟି ଟଙ୍କାର ବଜେଟ୍ ମଞ୍ଜୁର କରାଯାଇଛି, ଯେଉଁଥିରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାରମ୍ଭିକ ଭାବେ ୫.୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
