ଭୁବନେଶ୍ୱର:ରାଜ୍ୟରେ ଲାଗି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଏବଂ ଅସହ୍ୟ ତାତିକୁ ନେଇ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଗଭୀର ଉଦ୍ବେଗ ପ୍ରକାଶ କରିଛି ରାଷ୍ଟ୍ରୀୟ ଅଭିଭାବକ ସଂଘ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜୁନ ମାସର ମଧ୍ୟଭାଗରେ ମଧ୍ୟ ତାପମାତ୍ରା ୪୦ରୁ ୪୨ ଡିଗ୍ରୀ ସେଲସିଅସ୍ ମଧ୍ୟରେ ରହୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସ୍କୁଲ ଖୋଲିବା ନେଇ ଅଭିଭାବକମାନଙ୍କ ମଧ୍ୟରେ ଚିନ୍ତା ଓ ଆଶଙ୍କା ବଢ଼ିବାରେ ଲାଗିଛି।ସଂଘ ପକ୍ଷରୁ କୁହାଯାଇଛି ଯେ, ସକାଳ ୧୦ଟା ପରେ ବାହାର ପରିବେଶ ଅତ୍ୟନ୍ତ ଉତ୍ତପ୍ତ ହୋଇପଡ଼ୁଥିବା ବେଳେ ଛୋଟ ଛୋଟ ଛାତ୍ରଛାତ୍ରୀମାନେ ସ୍କୁଲ ଯାତାୟାତ ସମୟରେ ହିଟ୍ ଷ୍ଟ୍ରୋକ, ଡିହାଇଡ୍ରେସନ୍ ଓ ଅନ୍ୟାନ୍ୟ ତାପଜନିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବିଶେଷକରି ଗ୍ରାମାଞ୍ଚଳ ଏବଂ ଦୂରଦୂରାନ୍ତରୁ ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ପରିସ୍ଥିତି ଅଧିକ ଚିନ୍ତାଜନକ ବୋଲି ସଂଘ ମତ ପ୍ରକାଶ କରିଛି।ରାଷ୍ଟ୍ରୀୟ ଅଭିଭାବକ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ରଞ୍ଜନ କୁମାର ଦାସ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ X ମାଧ୍ୟମରେ ଏହି ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଅନୁରୋଧ କରିଛନ୍ତି ଯେ, ବର୍ତ୍ତମାନର ପାଣିପାଗ ପରିସ୍ଥିତିକୁ ବିଚାରକୁ ନେଇ ସ୍କୁଲ ଛୁଟିକୁ ଆହୁରି କିଛି ଦିନ ବୃଦ୍ଧି କରାଯାଉ କିମ୍ବା ତାପପ୍ରବାହର ପ୍ରଭାବ କମିବା ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରଖାଯାଉ। ତାଙ୍କ ମତରେ, ଶିକ୍ଷା ଯେତିକି ଗୁରୁତ୍ୱପୂର୍ଣ୍ଣ, ଛାତ୍ରଛାତ୍ରୀଙ୍କ ଜୀବନ ଓ ସ୍ୱାସ୍ଥ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ଏବଂ ଏହି କ୍ଷେତ୍ରରେ କୌଣସି ପ୍ରକାରର ବିପଦ ଗ୍ରହଣ କରାଯିବା ଉଚିତ ନୁହେଁ।ଶ୍ରୀ ଦାସ କହିଛନ୍ତି ଯେ, ଗତ କିଛି ବର୍ଷ ଧରି ରାଜ୍ୟରେ ଗ୍ରୀଷ୍ମପ୍ରବାହର ତୀବ୍ରତା ବୃଦ୍ଧି ପାଉଛି ଏବଂ ଏହାର ପ୍ରଭାବରେ ସାଧାରଣ ଲୋକମାନେ ମଧ୍ୟ ଅସୁସ୍ଥ ହେଉଛନ୍ତି। ଏଭଳି ସମୟରେ କୋମଳମତି ଶିଶୁମାନଙ୍କୁ ସ୍କୁଲକୁ ପଠାଇବା ନେଇ ଅଭିଭାବକମାନେ ଚିନ୍ତିତ ରହିଛନ୍ତି। ସରକାର ପାଣିପାଗ ବିଭାଗର ସତର୍କବାଣୀ ଓ ବାସ୍ତବ ପରିସ୍ଥିତିକୁ ଆଧାର କରି ଛାତ୍ରଛାତ୍ରୀଙ୍କ ହିତରେ ଉପଯୁକ୍ତ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।ରାଷ୍ଟ୍ରୀୟ ଅଭିଭାବକ ସଂଘ ପକ୍ଷରୁ କୁହାଯାଇଛି ଯେ, ସରକାର ସବୁବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଆସିଛନ୍ତି ଏବଂ ଏଥର ମଧ୍ୟ ଅଭିଭାବକମାନଙ୍କ ଏହି ଯୁକ୍ତିଯୁକ୍ତ ଦାବିକୁ ସକାରାତ୍ମକ ଭାବେ ବିଚାର କରିବେ। ସଂଘ ଆଶା ପ୍ରକାଶ କରିଛି ଯେ, ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ସାମଗ୍ରିକ କଲ୍ୟାଣକୁ ଦୃଷ୍ଟିରେ ରଖି ସରକାର ଶୀଘ୍ର ଏକ ଉଚିତ ନିଷ୍ପତ୍ତି ଘୋଷଣା କରିବେ।
