କଟକ: ଚଳିତବର୍ଷ ଜୁଲାଇ ୨ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଏହା ଜୁଲାଇ ୧୦ ତାରିଖରେ ଶେଷ ହେବ । ଚଳିତବର୍ଷ ୨୪ ହଜାର ୪୭୦ ଜଣ ପରୀକ୍ଷାର୍ଥୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ । ସେମାନଙ୍କ ମଧ୍ୟରୁ ୧୫ ହଜାର ୭୧ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ପାଇଁ ଏବଂ ଚଳିତ ବର୍ଷ ଅକୃତକାର୍ଯ୍ୟ ହୋଇଥିବା ୯ ହଜାର ୩୯୯ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାର ୨୫୪ଟି କେନ୍ଦ୍ରରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ । ଏଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । କୌଣସି ଛାତ୍ରଛାତ୍ରୀଙ୍କର ଯେପରି ଗୋଟିଏ ବର୍ଷ ନଷ୍ଟ ନହେବ, ତାହାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ ପଦକ୍ଷେପ ଗ୍ରହଣ କରିଛି ବୋର୍ଡ । ଏକ ମାସ ମଧ୍ୟରେ ପରୀକ୍ଷା ଫଳ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି ବୋର୍ଡ । ଫଳରେ ଚଳିତ ଶିକ୍ଷାବର୍ଷରେ ସେମାନେ ପୁନର୍ବାର ପାଠ୍ୟକ୍ରମରେ ସାମିଲ ହୋଇ ପାରିବେ ବୋଲି ସଭାପତି କହିଛନ୍ତି । ଆଗକୁ ଥିବା ଓଟିଇଟି ପରୀକ୍ଷା ପାଇଁ ଦଶମ ସପ୍ଲିମେଣ୍ଟାରୀ ପରୀକ୍ଷା ପ୍ରଭାବିତ ହେବନାହିଁ, ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସ୍ପଷ୍ଟ କରିଛନ୍ତି । ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସୂଚନା ଅନୁସାରେ, ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧.୩୦ରେ ଶେଷ ହେବ । କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ । ଅର୍ଥାତ ଏହି ପରୀକ୍ଷା ୧୧.୪୫ ମିନିଟ ପର୍ଯ୍ୟନ୍ତ ଚାଲିବ ।
