ନୂଆଦିଲ୍ଲୀ:ମାସିକ ଧର୍ମ ଛୁଟି ଆଇନ ଆଣିବାକୁ ଆସିଥିବା ଯାଚିକାର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟା ବାଗଚୀଙ୍କ ଖଣ୍ଡପୀଠ ଏହି ଯାଚିକାର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ । ଯଦି ଏହା ଆଇନରେ ପରିଣତ ହୁଏ ତେବେ ତାହାର ସାମାଜିକ ଏବଂ ନିଯୁକ୍ତି କ୍ଷେତ୍ରରେ କଣ ପରିଣାମ ହେବ ତାହା ଉପରେ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ଏହି ପଦକ୍ଷେପ ଦ୍ୱାରା କର୍ମସ୍ଥଳୀରେ ମହିଳାଙ୍କ ଛବି ମଳିନ ହେବା ସହିତ ନକରାତ୍ମକ ପ୍ରଭାବ ବଢ଼ିବାର ଆଶଙ୍କା ରହିଛି । କମ୍ପାନୀମାନେ ନିଜ ଇଚ୍ଛାରେ ଛୁଟି ଦେବା ବହୁତ ଭଲ । କିନ୍ତୁ ଯଦି ଏହାକୁ ଆଇନରେ ପରିଣତ କରାଯାଏ ତେବେ ମହିଳାଙ୍କୁ କେହି ଚାକିରୀ ଦେବେ ନାହିଁ । ଏମିତିକି ସରକାରୀ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିପାରେ । ଏହା ଦ୍ୱାରା ମହିଳାଙ୍କ କ୍ୟାରିୟର ଶେଷ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କୋର୍ଟ କହିଛନ୍ତି । ତେବେ ଏହା ଉପରେ ସମସ୍ତ ବୁଦ୍ଧିଜୀବୀଙ୍କ ପରାମର୍ଶ ନିଆଯାଇ ଆଇନ ଆଣିବାର ସମ୍ଭାବନା ଉପରେ ବିଚାର କରାଯାଇପାରେ । ଏହା ସହିତ କୋର୍ଟ ଯାଚିକାର ଆଗାମୀ ଶୁଣାଣି ପାଇଁ ମନା କରିଛନ୍ତି ।
