ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବର୍ତ୍ତମାନ ସ୍ୱାଇନ୍ ଫ୍ଲୁ (H1N1 )ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରମାନେ ସାଧାରଣ ଜନତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସତର୍କ ସୂଚନା ଜାରି କରିଛନ୍ତି। ବିଶେଷ କରି ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ଦେଖାଦେଉଥିବା ଶ୍ୱାସକ୍ରିୟା ଜନିତ ସମସ୍ୟା ଏବଂ ଶରୀରରେ ଅକ୍ସିଜେନ୍ ସ୍ତର କମିଯିବା ଭଳି ଲକ୍ଷଣକୁ ହାଲୁକା ଭାବେ ନ ନେବାକୁ ପରାମର୍ଶ ଦିଆଯାଇଛି । ସାଧାରଣତଃ ଏହି ଫ୍ଲୁରେ ଆକ୍ରାନ୍ତ ହୋଇଥିବା ଅଧିକାଂଶ ରୋଗୀ ଘରୋଇ ତଥା ପ୍ରାଥମିକ ଚିକିତ୍ସାରେ ସୁସ୍ଥ ହୋଇଯାଆନ୍ତି। ତେବେ ସଂକ୍ରମଣ ଯଦି ଫୁସଫୁସର ତଳ ଅଂଶକୁ ବ୍ୟାପିଯାଏ, ତେବେ ତାହା ନିମୋନିଆ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ ।ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ଦିଲ୍ଲୀରେ କେବଳ ୨୨୯ଟି H1N1 ମାମଲା ଚିହ୍ନଟ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଅଗଷ୍ଟ ୧୨ ତାରିଖ ସୁଦ୍ଧା ଏହି ସଂଖ୍ୟା ୧,୪୪୯ରେ ପହଞ୍ଚିଛି। ଅର୍ଥାତ୍ ଗତ ବର୍ଷ ତୁଳନାରେ ମାମଲା ୬ ଗୁଣାରୁ ମଧ୍ୟ ଅଧିକ ବୃଦ୍ଧି ପାଇଛି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ରାମ ମନୋହର ଲୋହିଆ (RML) ଏବଂ ସଫଦରଜଙ୍ଗ ହସ୍ପିଟାଲ ସମେତ ରାଜଧାନୀର ଅନ୍ୟ ପ୍ରମୁଖ ଡାକ୍ତରଖାନାଗୁଡ଼ିକରେ ଆବଶ୍ୟକୀୟ ପ୍ରସ୍ତୁତିକୁ କଡ଼ାକଡ଼ି କରାଯାଇଛି ।
