ଭୁବନେଶ୍ୱର: ଆଜି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ଆଜି ୯୦ ବର୍ଷ ପୂରଣ ହୋଇଛି । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷା ଭିତ୍ତିରେ ଦେଶର ପ୍ରଥମ ରାଜ୍ୟ ଭାବେ ମାନ୍ୟତା ପାଇଥିବା ଓଡ଼ିଶା ଆଜି ତାର ଗୌରବମୟ ଯାତ୍ରାର ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏହି ଅବସରରେ ସମଗ୍ର ରାଜ୍ୟବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଚଳିତ ବର୍ଷ ଉତ୍କଳ ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ‘ଓଡ଼ିଆ ପକ୍ଷ’ ପାଳନ କରାଯିବ । ୧୫ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ ଓ ଐତିହ୍ୟର ପ୍ରଚାର ପ୍ରସାର କରାଯିବ । ରାଷ୍ଟ୍ରପତି ନିଜ ଶୁଭେଚ୍ଛା ବାର୍ତ୍ତାରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଓଡ଼ିଆଙ୍କ ଧୈର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, “ବିକଶିତ ଭାରତ ନିର୍ମାଣରେ କୁଶଳୀ ଓ କର୍ମଠ ଓଡ଼ିଶାବାସୀଙ୍କ ଭୂମିକା ବେଶ୍ ଉଲ୍ଲେଖନୀୟ ।” ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସେ ସମସ୍ତଙ୍କ ସୁଖ-ସମୃଦ୍ଧି କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହାନତାର ଏକ ଶାଶ୍ୱତ ପ୍ରତୀକ ବୋଲି ଅଭିହିତ କରିଛନ୍ତି । ଓଡ଼ିଆ ସଙ୍ଗୀତ, କଳା ଏବଂ ସାହିତ୍ୟ ଭାରତକୁ ସମୃଦ୍ଧ କରିଛି ବୋଲି ସେ ନିଜ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ରଦେଶ ଗଠନର ବରପୁତ୍ରମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ‘ଓଡ଼ିଆ ଅସ୍ମିତା’ର ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି । ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ନିଜର ଜୀବନ ଓ ସର୍ବସ୍ୱ ତ୍ୟାଗ କରିଥିବା ମଧୁସୂଦନ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, କୃଷ୍ଣଚନ୍ଦ୍ର ଗଜପତି, ଫକୀର ମୋହନ ସେନାପତି ଓ ଗଙ୍ଗାଧର ମେହେରଙ୍କ ଭଳି ବରପୁତ୍ରମାନଙ୍କୁ ଆଜି ସାରା ରାଜ୍ୟ ମନେ ପକାଉଛି । ଦେଶ ତଥା ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଆଜି ନିଜର ଭାଷା ଓ ଇତିହାସକୁ ନେଇ ଗର୍ବ କରିବାର ଦିନ ।
