ଜର୍ମାନ: ଜର୍ମାନୀର ରାଜଧାନୀ ବର୍ଲିନ ର ପ୍ରବାସୀ ଓଡ଼ିଆର୍ନଙ୍କ ଦ୍ୱାରା ଉତ୍କଳ ଦ଼ିବସ ଆଡମ୍ବର, ଉତ୍ସାହ ଓ ଗୌରବର ସହ଼ିତ ପାଳନ କରାଯାଇଥିଲା । ଏହ଼ି ଅବସରରେ ବର୍ଲିନ ଏବଂ ଜର୍ମାନୀର ବ଼ିଭ଼ିନ୍ନ ସ୍ଥାନରୁ ଓଡ଼ିଆ ସ୍ବରର ଅନେକ ସଦସ୍ୟ ଯୋଗ ଦେଇଥିଲେ, ପ୍ରବାସୀ -ଓଡ଼ିଆ-ବର୍ଲିନ ପକ୍ଷରୁ Klingelhöferstraße 24, 10785 Berlin ଠାରେ ଆୟୋଜିତ ଏହ଼ି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା ବର୍ଲ୍ଲିନ ର ସମସ୍ତ ଓଡିଆ ସମୁଦାୟଙ୍କୁ ଏକ ମଂଚ ରେ ଆଣିବା । ଏବଂ ବିଦେଶ ମାଟିରେ ଓଡ଼ିଆ ଅସ୍ମ଼ିତାକୁ ଗର୍ବର ସହିତ ପ୍ରକାଶ କରିବା ।
ଶ୍ରୀଯୁକ୍ତ ବାଗ୍ନୀତ ବେହେରା ଓ ଶ୍ରୀଯୁକ୍ତ ବିଷ୍ଣୁ ବଳ, ଉତ୍କଳ ର ଗୌରବ ମଧୁସୂଦନ ଦାସ ଓ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତି ପୁଷ୍ପାଜଂଳି ଅର୍ପଣ ଏବଂ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ପରେ ଶ୍ରୀଯୁକ୍ତ ବେହେରା ତାଙ୍କ ସ୍ବାଗତ ଭାଷଣରେ ଓଡିଶାର ଐତିହ୍ୟ ଓ ସଂସ୍କୁତି ଉପରେ ଉଲ୍ଲେଖନୀୟ ଆଲୋକପାତ କରି ପ୍ରବାସରେ ଥିଲେ ମଧ୍ୟ ଓଡିଆ ମାଟି ପ୍ରତି ଅତୁଟ ଭାବନା ଓ ଆତ୍ମୀୟତାକୁ ସ୍ପଷ୍ଟ ଭାବେ ପ୍ରତିଫଳିତ କରିଥିଲେ। ବର୍ଲିନରେ ରହି ପାଠ ପଢୁଥିବା ଓଡିଆ ଛାତ୍ର ଛାତ୍ରୀ ମାନଙ୍କ କଣ୍ଠରୁ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ ଉପସ୍ଥିତ ସମସ୍ତଙ୍କ ମନରେ ଗର୍ବ, ଏକତାର ଅନୁଭୂତି ସୃଷ୍ଟି କରିଥିଲା । ଏହା ପରେ ଆରମ୍ଭ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସମଗ୍ର ଆସରକୁ ଆହୁରି ଆକର୍ଷଣୀୟ କରିଥିଲା । ଓଡିଶୀ ଶାସ୍ତ୍ରୀୟ ନୃତ୍ୟ ଓ କୁନି କୁନି ଶିଶୁଙ୍କ ମନ୍ତ୍ରମୁଗ୍ଧ ପ୍ରର୍ଦଶନ ସାଙ୍ଗକୁ ସମ୍ବଲପୁର ନୃତ୍ୟର ଝଲକ ଦର୍ଶକ ମାନଙ୍କୁ ମୋହିତ କରିଥିଲା । ଏହି ଶୁଭ ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ ଭାରତର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କର ପ୍ରେରଣାମୟ ଶୁଭେଚ୍ଛା ବାର୍ତ୍ତା ପ୍ରବାସୀ ଓଡିଆମାନଙ୍କ ହୃଦୟରେ ନୂତନ ଉତ୍ସାହ ଓ ଗର୍ବର ଆଲୋକ ପ୍ରଜ୍ଜଳିତ କରିଥିଲା ।
