ନୂଆଦିଲ୍ଲୀ: ଲୋକସଭାରେ ଫେଲ୍ ମାରିଲା ମହିଳା ସଂରକ୍ଷଣ ସଂଶୋଧନ ବିଲ୍ । ଶୁକ୍ରବାର ଦିନ ଏଥିପାଇଁ ଲୋକସଭାରେ ହୋଇଥିବା ଭୋଟିଂରେ ମୋଟ୍ ୫୨୮ ଜଣ ସାଂସଦ ଭାଗ ନେଇଥିଲେ । ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ୨୯୮ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଲା ୨୩୦ ଭୋଟ୍ । ଏଥିସହ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ସଂସଦର ନିମ୍ନ ସଦନରେ କାଟ୍ ଖାଇଛି । ଗୃହରେ ଦୁଇ ତୃତୀୟାଂଶ ସମର୍ଥନ ନ ମିଳିବାରୁ କାଟ୍ ଖାଇଲା ମହିଳା ସଂରକ୍ଷଣ ଆଇନ ସହ ଜଡ଼ିତ ସମ୍ବିଧାନ (୧୩୧ତମ) ସଂଶୋଧନ ବିଲ୍ ।ଲୋକସଭାରେ ଯେକୌଣସି ସମ୍ବିଧାନ ସଂଶୋଧନ ବିଲ୍ ପାସ୍ କରିବା ପାଇଁ ଦୁଇ-ତୃତୀୟାଂଶ ବହୁମତର ଆବଶ୍ୟକତା ରହିଥାଏ । ସରକାର ଏହି ବିଲ୍ ସହିତ ସୀମା ନିର୍ଦ୍ଧାରଣ ବିଲ୍, ୨୦୨୬ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍, ୨୦୨୬ ମଧ୍ୟ ଗୃହରେ ଆଲୋଚନା ଏବଂ ପାସ୍ ପାଇଁ ଉପସ୍ଥାପନ କରିଥିଲେ, କିନ୍ତୁ ସେଗୁଡ଼ିକୁ ମଧ୍ୟ ଆଗକୁ ବଢ଼ାଯାଇପାରିଲା ନାହିଁ ।ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ, ସମ୍ବିଧାନର (୧୩୧ତମ ସଂଶୋଧନ) ବିଲ୍, ୨୦୨୬ କାଟ୍ ଖାଇଥିବାରୁ, କେନ୍ଦ୍ର ସରକାର ଅନ୍ୟ ଦୁଇଟି ବିଲ୍ – ‘ଡିଲିମିଟେସନ୍ ବିଲ୍, ୨୦୨୬’ ଏବଂ ‘ଦି ୟୁନିଅନ୍ ଟେରିଟୋରିଜ୍ ଲସ୍ (ସଂଶୋଧନ ବିଲ୍), ୨୦୨୬’ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।
