କଟକ: ରବିବାର ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଶ୍ରୀ ବିନୟତୋଷ ମିଶ୍ର, (ଆଇପିଏସ) ପୂର୍ବତନ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଠାରୁ ଓଡ଼ିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଶ୍ରୀ ମିଶ୍ର କ୍ରାଇମବ୍ରାଞ୍ଚ ଡିଜି ଭାବେ ଦାୟିତ୍ଵ ତୁଲାଉଥିବା ବେଳେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ସମ୍ଭାଳିବେ।
ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଡିଜିପି ଶ୍ରୀ ମିଶ୍ର ତାଙ୍କୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରିଥିବାରୁ ରାଜ୍ୟ ସରକାରଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ। ଏହା ଏକ ଗୁରୁ ଦାୟିତ୍ୱ ବୋଲି ପ୍ରକାଶ କରି ଏହାକୁ ନିଷ୍ଠାର ସହ ସମ୍ପାଦନ କରିବା ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ରହିବ ବୋଲି ସେ କହିଥିଲେ।ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସର ପ୍ରାୟ ୬୦ ହଜାର ପୋଲିସ କର୍ମଚାରୀ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସମସ୍ତ ଜିଲ୍ଲାରେ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷା ସୁନିଶ୍ଚିତ କରିବେ ବୋଲି ଡିଜିପି ଶ୍ରୀ ମିଶ୍ର କହିଥିଲେ। ଲୋକମାନେ ଯେପରି ନିର୍ଭୟ ଓ ଆନନ୍ଦର ସହ ପର୍ବପର୍ବାଣୀ ପାଳନ କରିପାରିବେ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ରାଜ୍ୟର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ଓଡ୍ରାଫ୍ ଓ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ସହ ଧନଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନେବ ବୋଲି ସେ କହିଥିଲେ।ସୂଚନାଯୋଗ୍ୟ ଯେ ୧୯୯୩ ବ୍ୟାଚର ଆଇ.ପି.ଏସ୍ ଅଧିକାରୀ ଶ୍ରୀ ମିଶ୍ର ବିହାର ରାଜ୍ୟର ମୂଳବାସିନ୍ଦା ଅଟନ୍ତି । ତାଙ୍କର ଚାକିରି କାଳ ମଧ୍ୟରେ ସେ ବାଲେଶ୍ଵର, ତାଳଚେର, କଟକ, ବ୍ରହ୍ମପୁର, ଯାଜପୁର, କ୍ରାଇମବ୍ରାଞ୍ଚ ଆଦି ବିଭିନ୍ନ ସ୍ଥାନରେ ଏସଡିପିଓ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ପରେ ସେ ଡିଆଇଜି ଭାବେ ଅତିରିକ୍ତ ପରିବହନ କମିଶନର (ଏନଫୋର୍ସମେଣ୍ଟ,କଟକ), ଅଗ୍ନିଶମ ସେବା ଏବଂ ଗୃହରକ୍ଷୀ, ଗୁଇନ୍ଦା (ଓଡ଼ିଶା, କଟକ) ଏବଂ ସିଆଇଏସଏଫ (ବୋକାରୋ) ରେ କାର୍ଯ୍ୟ କରିଥିଲେ।
