ନୂଆଦିଲ୍ଲୀ:INDIA ମହାମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନୂଆଦିଲ୍ଲୀସ୍ଥ କନଷ୍ଟିଟ୍ୟୁସନ କ୍ଲବ୍ରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମହାମେଣ୍ଟର ସମସ୍ତ ସହଯୋଗୀ ଦଳର ବରିଷ୍ଠ ନେତା ଓ ପ୍ରମୁଖ ବ୍ୟକ୍ତିତ୍ୱମାନେ ଯୋଗଦେଇ ଦେଶର ବର୍ତ୍ତମାନ ରାଜନୈତିକ, ଆର୍ଥିକ ଓ ସାମାଜିକ ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା କରିଥିଲେ।ବୈଠକରେ ଉପସ୍ଥିତ ନେତାମାନେ ମତ ପ୍ରକାଶ କରିଥିଲେ ଯେ, କେନ୍ଦ୍ରର ମୋଦୀ ସରକାରଙ୍କ ନୀତି ଓ କାର୍ଯ୍ୟକଳାପ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା, ଅର୍ଥନୀତି ଏବଂ ସାମାଜିକ ସମ୍ପ୍ରୀତି ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ବୃଦ୍ଧିଶୀଳ ବେକାରି, ମହଙ୍ଗାମାଡ଼, କୃଷକ ଓ ଶ୍ରମିକଙ୍କ ସମସ୍ୟା, ସଂବିଧାନିକ ସଂସ୍ଥାଗୁଡ଼ିକର ସ୍ୱାଧୀନତା ଏବଂ ସାମାଜିକ ସୌହାର୍ଦ୍ଦ ଭଳି ପ୍ରସଙ୍ଗଗୁଡ଼ିକ ଉପରେ ଚିନ୍ତା ପ୍ରକାଶ କରାଯାଇଥିଲା।ଦେଶର ଗଣତନ୍ତ୍ର, ସଂବିଧାନ ଏବଂ ଜନସାଧାରଣଙ୍କ ଅଧିକାରର ସୁରକ୍ଷା ପାଇଁ ଏକ ଶକ୍ତିଶାଳୀ ଓ ଦାୟିତ୍ୱବାନ ବିରୋଧୀ ଶକ୍ତି ଭାବେ ଏକାଠି ହୋଇ କାର୍ଯ୍ୟ କରିବାକୁ ସମସ୍ତ ସହଯୋଗୀ ଦଳ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ।ବୈଠକରେ ଯୋଗଦେଇଥିବା ସମସ୍ତ ପ୍ରଭାବଶାଳୀ ନେତା ଓ ବ୍ୟକ୍ତିତ୍ୱମାନେ ଦେଶର ହିତ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସଂବିଧାନର ସୁରକ୍ଷା ପାଇଁ ମିଳିତ ଭାବେ ଆଗାମୀ ଦିନରେ ଆନ୍ଦୋଳନ ଓ ଜନସଚେତନତା କାର୍ଯ୍ୟକ୍ରମକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଥିଲେ।
