ବାଙ୍କୀ:କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର କଲାପଥର, ପୂର୍ବଗଡ଼ିଆ ଓ ବାଙ୍କୀ ସେବା ସମବାୟ ସମିତିରେ ବ୍ୟାପକ ଆର୍ଥିକ ଅନିୟମିତତା ଓ କୋଟି କୋଟି ଟଙ୍କାର ମହାଘୋଟଲା ହୋଇଥିବା ଅଭିଯୋଗକୁ ନେଇ ଆଜି ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅର୍ଥ ଭରଣା ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ବାଙ୍କୀ ବ୍ଲକ ଅଧୀନ କଢ଼ମଲ୍ଲ ଛକରେ ଶତାଧିକ ଚାଷୀ ରାସ୍ତାରୋକ ଆନ୍ଦୋଳନ କରିଥିଲେ।ଆନ୍ଦୋଳନକାରୀ ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ସମବାୟ ସମିତି ଗୁଡ଼ିକରେ ଚାଷୀଙ୍କ ନାମରେ ଋଣ, ସାର ବଣ୍ଟନ ଓ ଅନ୍ୟାନ୍ୟ ଆର୍ଥିକ କାରବାରରେ ବ୍ୟାପକ ଅନିୟମିତତା ଘଟିଛି। ଅନେକ ଚାଷୀଙ୍କ ଅଜ୍ଞାତ ସାରରେ ତାଙ୍କ ନାମ ବ୍ୟବହାର କରାଯାଇ ଆର୍ଥିକ କାରବାର ହୋଇଥିବାର ଅଭିଯୋଗ ଉଠିଛି। ଫଳରେ ପ୍ରକୃତ ଚାଷୀମାନେ ଆର୍ଥିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମବାୟ ବ୍ୟବସ୍ଥା ଉପରେ ସେମାନଙ୍କର ଭରସା କମିଯାଇଛି।ଚାଷୀ ନେତାମାନେ କହିଛନ୍ତି ଯେ, ଏହି ଘଟଣାରେ ସନ୍ତୋଷ ଜୟ ସିଂହଙ୍କ ନାମରେ ଗୁରୁତର ଅଭିଯୋଗ ରହିଛି। ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ପ୍ରକୃତ ଦୋଷୀଙ୍କୁ ଚିହ୍ନଟ କରି କଠୋର ଆଇନଗତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।ଆନ୍ଦୋଳନକାରୀମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, ଏତେ ବଡ଼ ଆର୍ଥିକ ଅନିୟମିତତା ଘଟିଥିଲେ ମଧ୍ୟ ସମ୍ପୃକ୍ତ ଅଧିକାରୀମାନେ ସମୟୋପଯୋଗୀ ପଦକ୍ଷେପ ନେଇନାହାନ୍ତି। ତେଣୁ ଘଟଣାରେ ସମ୍ପୃକ୍ତ ସମସ୍ତ ଦାୟୀ ଅଧିକାରୀଙ୍କ ଭୂମିକାର ତଦନ୍ତ କରାଯିବା ସହ ସମ୍ପୃକ୍ତ ARCS କାର୍ଯ୍ୟାଳୟର କାର୍ଯ୍ୟକଳାପ ଉପରେ ଭିଜିଲାନ୍ସ ତଦନ୍ତ କରାଯିବାକୁ ଦାବି କରିଛନ୍ତି।ଚାଷୀମାନେ ସତର୍କ କରିଛନ୍ତି ଯେ, ଯଦି ଘୋଟଲାର ସମ୍ପୂର୍ଣ୍ଣ ତଦନ୍ତ କରାଯାଇ ଚାଷୀଙ୍କ କ୍ଷତିପୂରଣ ଓ ଅର୍ଥ ଭରଣା ପାଇଁ ଶୀଘ୍ର ପଦକ୍ଷେପ ନିଆଯିବ ନାହିଁ, ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ଚାଷୀମାନେ ସମବାୟ କ୍ଷେତ୍ରରେ ସ୍ୱଚ୍ଛତା କୁ ସୁନିଶ୍ଚିତ କରିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।
