ଭୁବନେଶ୍ୱର, (ରଞ୍ଜନ କୁମାର ଦାସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀକୁ ଅନୁସରଣ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନ୍ତ୍ରୀମଣ୍ଡଳ ଓ ପ୍ରଶାସନିକ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଚର୍ଚ୍ଚା ରାଜନୈତିକ ମହଳରେ ଜୋର ଧରିଛି। ମୋଦୀ ଯେପରି ପ୍ରତ୍ୟେକ ସମୟରେ ମନ୍ତ୍ରୀମଣ୍ଡଳର କାର୍ଯ୍ୟଦକ୍ଷତା ସମୀକ୍ଷା କରି ରିପୋର୍ଟ କାର୍ଡ ପରଖୁଛନ୍ତି, ସେହି ଧାରାକୁ ଏବେ ମୋହନ ମାଝି ସରକାର ମଧ୍ୟ ଆପଣାଇଥିବା ସୂଚନା ମିଳିଛି।ସୂତ୍ର ଅନୁଯାୟୀ, ସିଏମଓକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ କେଉଁ ବିଭାଗ କିପରି କାମ କରୁଛି, ତାହାର କଡ଼ା ସମୀକ୍ଷା କରାଯାଉ। ଯେଉଁ ବିଭାଗର ମନ୍ତ୍ରୀ କିମ୍ବା ବିଭାଗୀୟ ସଚିବଙ୍କ ପ୍ରଦର୍ଶନ ଦୁର୍ବଳ କିମ୍ବା ନୈରାଶ୍ୟଜନକ ରହିଛି, ସେମାନଙ୍କ ବିରୋଧରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ପ୍ରଦର୍ଶନ ଆଧାରରେ କିଛି ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯାଇପାରେ ଏବଂ କିଛି ବିଭାଗୀୟ ସଚିବଙ୍କୁ ମଧ୍ୟ ବଦଳି କରାଯିବାର ସମ୍ଭାବନା ରହିଛି।ସିଏମଓ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଏହା ପରେ ଖୁବ୍ ଶୀଘ୍ର ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହେବ ବୋଲି ବିଜେପି କାର୍ଯ୍ୟାଳୟ ଓ କ୍ଷମତା କେନ୍ଦ୍ର ମହଳରେ ଚର୍ଚ୍ଚା ଜୋର ଧରିଛି। ରାଜସ୍ୱ ମନ୍ତ୍ରୀଙ୍କ ସମ୍ପ୍ରତିକ ବୟାନକୁ ନେଇ ମଧ୍ୟ ଏହି ଚର୍ଚ୍ଚାକୁ ଆହୁରି ଶକ୍ତି ମିଳିଛି।ଆସନ୍ତା ମାସ ୧୨ ତାରିଖରେ ରାଜ୍ୟରେ ବିଜେପି ସରକାର ଦୁଇ ବର୍ଷ ପୂରଣ କରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦିଲ୍ଲୀ ଯାଇ ନିମନ୍ତ୍ରଣ କରିଥିବା ସୂଚନା ମିଳିଛି। ସେହି ଦିନ ଏକ ବିଶାଳ ସରକାରୀ କାର୍ଯ୍ୟକ୍ରମ ସହ ନୂଆ ମନ୍ତ୍ରୀମାନଙ୍କୁ ଶପଥ ଦିଆଯିବାର ସମ୍ଭାବନା ରହିଛି।ବର୍ତ୍ତମାନ ରାଜ୍ୟ ସରକାରରେ ୧୬ ଜଣ ମନ୍ତ୍ରୀ ଅଛନ୍ତି। ଅନେକ ମନ୍ତ୍ରୀ ଏକାଧିକ ବିଭାଗ ସମ୍ଭାଳୁଥିବାରୁ ସମସ୍ତ ବିଭାଗକୁ ପର୍ଯ୍ୟାପ୍ତ ସମୟ ଦେଇପାରୁ ନାହାନ୍ତି। ଏହାର ପ୍ରଭାବ ବିଭାଗୀୟ କାର୍ଯ୍ୟଦକ୍ଷତା ଉପରେ ପଡ଼ୁଛି। ସେହିପରିସ୍ଥିତିରେ ମନ୍ତ୍ରୀମଣ୍ଡଳର ସଂଖ୍ୟା ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ଚିନ୍ତା କରୁଥିବା ଜଣାପଡ଼ିଛି। ସଂବିଧାନ ଅନୁଯାୟୀ ୨୨ ଜଣ ମନ୍ତ୍ରୀ ରହିପାରିବେ, କିନ୍ତୁ ଏପର୍ଯ୍ୟନ୍ତ କେବଳ ୧୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ତେଣୁ ଆହୁରି ୬ଟି ମନ୍ତ୍ରୀ ପଦ ଖାଲି ରହିଛି।ଏହି ପରିପ୍ରେକ୍ଷିତରେ କେଉଁ ୬ ଜଣ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବ, ସେନେଇ ରାଜନୈତିକ ମହଳରେ ଚର୍ଚ୍ଚା ତୀବ୍ର ହୋଇପଡ଼ିଛି। ନୂଆ ବିଧାୟକମାନଙ୍କୁ ପୂର୍ବରୁ ମନ୍ତ୍ରୀ ପଦ ମିଳିଥିବାବେଳେ ଅନେକ ବରିଷ୍ଠ ନେତା ଏବେ ମଧ୍ୟ ଅପେକ୍ଷାରେ ଅଛନ୍ତି। ସେହିପରି ରାଜ୍ୟର ୧୪ଟି ଜିଲ୍ଲାରେ ବିଜେପି ବିଧାୟକ ଜିତିଥିଲେ ମଧ୍ୟ ସେଠାରୁ କୌଣସି ମନ୍ତ୍ରୀ ନାହାନ୍ତି। ଏହାକୁ ନେଇ ଦଳ ଭିତରେ ଅସନ୍ତୋଷ ଥିବା କୁହାଯାଉଛି।ସୂତ୍ର ଅନୁଯାୟୀ, କିଛି ମନ୍ତ୍ରୀଙ୍କ ହାତରୁ କିଛି ବିଭାଗ କଢ଼ାଯାଇପାରେ, ଯାହାଦ୍ୱାରା ସେମାନଙ୍କ କାର୍ଯ୍ୟଚାପ କମିବ। ପ୍ରଦର୍ଶନରେ ପଛୁଆ ଥିବା ମନ୍ତ୍ରୀମାନଙ୍କୁ ବାଦ ଦେଇ କିଛି ନୂଆ ଚେହେରା ଓ ଅନୁଭବୀ ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦିଆଯାଇପାରେ। ଏହାସହ ଖୁବ୍ ଶୀଘ୍ର ବିଭିନ୍ନ ନିଗମ ଓ ବୋର୍ଡର ମୁଖ୍ୟମାନଙ୍କ ନିଯୁକ୍ତି ନେଇ ମଧ୍ୟ ସରକାର ପଦକ୍ଷେପ ନେବାକୁ ଯାଉଥିବା ସୂଚନା ମିଳିଛି।
