ଭୁବନେଶ୍ୱର,( ରଂଜନ କୁମାର ଦାସ): ‘ଏବର ସରକାର ଆଉ କାମକୁ ନୁହେଁ । ରାଜ୍ୟରେ ଆଇନଶୃଙ୍ଖଳାଠାରୁ ଆରମ୍ଭ କରି ଏକାଧିକ ବିଭାଗ କାର୍ଯ୍ୟ କରିବାରେ ଫେଲ ମାରିଲାଣି । ସରକାର ଠିକ୍ ଢ଼ଙ୍ଗରେ ଚଳାଇ ପାରୁ ନାହାନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ଯେତିକି ଉନ୍ନତି କରିବା କଥା କରି ନାହିଁ ।ବିଜେଡ଼ି ସରକାର ଛାଡ଼ି ଯାଇଥିବା ଅଧୁରା କାମକୁ ରଙ୍ଗ ମାରି କ୍ରେଡିଟ ନେଉଛନ୍ତି ଏହି ସରକାର । ଏବର ସରକାରଙ୍କର ନୂଆ ଯୋଜନା କିମ୍ବା ଭିଜନ କିଛି ନାହିଁ । ଯେଉଁ ଭଳି ଢ଼ଙ୍ଗରେ ବିରୋଧୀ ବିଜେଡ଼ି ଦଳ ଏହାର ପ୍ରତିବାଦ କରିବା କଥା, କରି ପାରୁନାହିଁ । ଆପଣ ଫେରି ଆସନ୍ତୁ । ପୁଣି ଥରେ ବିଜେଡ଼ି ଦଳର ମଙ୍ଗ ଧରନ୍ତୁ । ୨୦୨୯ରେ ଆମର ସରକାର ହେବ’— ଏଭଳି ଲେଖା ଏବେ ଫେସବୁକ, ଇନଷ୍ଟାଗ୍ରାମ ଭଳି ସୋସିଆଲ ସାଇଟରେ ପୋଷ୍ଟିଂ ହେଉଛି ।ସୋସିଆଲ ମିଡ଼ିଆରେ ଏଭଳି ଚର୍ଚ୍ଚା ଜୋର ଧରିବା ପରେ ଆଲୋଚନାର ବିଷୟ ହେଉଛି— ସତରେ କ’ଣ ଭି. କେ. ପାଣ୍ଡିଆନ ଫେରି ଆସିବେ ରାଜନୀତିକୁ ? ଧରିବେ କି ବିଜେଡ଼ିର ମଙ୍ଗ ?ଗତ ସାଧାରଣ ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ପାଣ୍ଡିଆନଙ୍କୁ ନେଇ ଏକ ବଡ଼ ମୁଦ୍ଦା କରିଥିଲା । ଓଡ଼ିଆ ଅସ୍ମିତାଠାରୁ ଆରମ୍ଭ କରି ରତ୍ନଭଣ୍ଡାର ଚୋରି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପାଣ୍ଡିଆନଙ୍କୁ ଦାୟୀ କରାଯାଇଥିଲା । ଲୋକେ ମଧ୍ୟ ଏହାକୁ ଗ୍ରହଣ କରି ନେଇଥିଲେ । ରାଜ୍ୟରେ ସରକାର ବଦଳି ଗଲା । ବିଜେପି ସରକାର ଗଠନ କଲା । ଏହା ମଧ୍ୟରେ ରାଜନୀତିରୁ ସନ୍ୟାସ ନେଇ ଯାଇଛନ୍ତି ପାଣ୍ଡିଆନ୍ ।ଏବେ ଧିରେ ଧିରେ ସତ ପଦାକୁ ଆସିବାରେ ଲାଗିଲାଣି । ପ୍ରଥମେ ବିଜେପି ସରକାର ଯେଉଁ ଓଡ଼ିଆ ଅସ୍ମିତା କଥା କହିଥିଲା, ତାହା ଫେଲ ମାରିଥିଲା, ଯେତେବେଳେ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ପଦରେ ଅଣ ଓଡ଼ିଆ ମହିଳା ଆଇଏଏସ୍ ଅନୁ ଗର୍ଗଙ୍କୁ ବସାଇଥିଲେ । ସେହିପରି ପୁଲିସ ଡିଜି ପଦବିରେ ୟୋଗେଶ ବାହାଦୁର ଖୁରାନିୟାଙ୍କୁ ବସାଇଥିଲେ । ସେ ମଧ୍ୟ ଜଣେ ଅଣ ଓଡ଼ିଆ ।ଏହା ଛଡ଼ା ଏକାଧିକ ପଦ ପଦବିରେ ମଧ୍ୟ ଅଣ ଓଡ଼ିଆ ଅଛନ୍ତି । ସରକାରଙ୍କର ଓଡ଼ିଆ ଅସ୍ମିତା ଏକ ଧୂଆଁବାଣ ଥିଲା ବୋଲି ସାଧାରଣ ଲୋକେ ଅନୁଭବ କଲେ । ରତ୍ନ ଭଣ୍ଡାରରୁ ରତ୍ନ ତାମିଲନାଡ଼ୁ ଚାଲି ଯାଇଥିବା କଥାକୁ ନେଇ ପ୍ରଚାର କରିଥିଲା ବିଜେପି । ନିଜେ ସରକାରକୁ ଆସିବା ପରେ ରତ୍ନ ଭଣ୍ଡାର ଗଣତି ମଣତି ଆରମ୍ଭ କରିଥିଲେ । ତାଙ୍କର ପ୍ରଶାସକମାନେ ଗଣତି ମଣତି ପରେ କହିଥିଲେ ରତ୍ନ ଭଣ୍ଡାର ସୁରକ୍ଷିତ ଅଛି । ୧୯୭୮ ମସିହାରେ ଯାହା ଥିଲା ଏବେ ସେୟା । ସରକାରଙ୍କ ରତ୍ନ ଭଣ୍ଡାର ଚୋରି ପ୍ରସଙ୍ଗ ମିଛ ଥିଲା ବୋଲି ଲୋକେ ଜାଣିଲେ ।ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା କଥାକୁ ମଧ୍ୟ ପ୍ରସଙ୍ଗ କରିଥିଲା ବିଜେପି । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାରରେ ଆସି କହିଥିଲେ ଏହାର ତଦନ୍ତ କରିବେ । କିନ୍ତୁ ଦୁଇ ବର୍ଷ ପରେ ଏହାର ତଦନ୍ତ କରି ନାହାନ୍ତି ବିଜେପି ସରକାର । ଓଲଟି ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପୂର୍ବାପେକ୍ଷା ଅଧିକ ଭଲ ଥିବା ଭଳି ଜଣା ପଡ଼ୁଛି । ନିର୍ବାଚନବେଳେ ବିଜେପିର ଏହି ପ୍ରସଙ୍ଗର ସତ୍ୟତା କେତେ ସାଧାରଣ ଲୋକ ଜାଣି ପାରିଲେଣି ।ରାଜନୈତିକ ବିଶାରଦମାନେ କହୁଛନ୍ତି, ପାଣ୍ଡିଆନ ରାଜନୀତି କଲେ ଅସୁବିଧା କେଉଁଠି ? ସେ ଜଣେ ଓଡ଼ିଆ କ୍ୟାଡର ଆଇଏଏସ୍ । ଓଡ଼ିଆ ଝିଅଙ୍କୁ ବିବାହ କରିଛନ୍ତି । ଏଠାରେ ସପରିବାର ରହୁଛନ୍ତି । ସେ କାହିଁକି ରାଜନୀତି କରି ପାରିବେ ନାହିଁ ? ଫାଇଭ-ଟି ସଚିବ ଥିବାବେଳେ ସେ ରାଜ୍ୟର ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସମେତ ବିଭିନ୍ନ ଧର୍ମାନୁଷ୍ଠାନର ଉନ୍ନତି, ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ସହିତ ମେଡିକାଲ କଲେଜ ପ୍ରତିଷ୍ଠା ଓ ରାଜ୍ୟର ହାଇ ମଡେଲ ବସ ଷ୍ଟାଣ୍ଡ ନିର୍ମାଣ ତାଙ୍କରି ତତ୍ୱାବଧାନରେ ହିଁ ହୋଇଥିଲା ।ପୂର୍ବରୁ Indian National Congress ଭଳି ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ଏହି ଦେଶର ଲୋକେ ଗ୍ରହଣ କରିଛନ୍ତି । ତାଙ୍କୁ ସାଂସଦ ଭାବେ ନିର୍ବାଚିତ ମଧ୍ୟ କରିଛନ୍ତି । ଓଡ଼ିଶାକୁ ଦେଖିଲେ, ଭୁବନେଶ୍ୱର ଭଳି ଶିକ୍ଷିତ ସଂସଦୀୟ କ୍ଷେତ୍ରର ସାଂସଦ ହେଉଛନ୍ତି ପୂର୍ବତନ ଆଇଏଏସ୍ ଅପରାଜିତା ଷଡ଼ଙ୍ଗୀ । ତାଙ୍କୁ ଏକାଧିକ ଥର ଲୋକ ସଂସଦକୁ ପଠାଇଲେଣି । ଅଶ୍ୱିନୀ ବୈଷ୍ଣବ ଭଳି ଅଣ ଓଡ଼ିଆ ନେତା ମଧ୍ୟ ଏକାଧିକ ଥର ରାଜ୍ୟସଭା ସାଂସଦ ହୋଇଛନ୍ତି ।ସେହିପରି ଅରଭିନ୍ଦ ଢ଼ାଲି,ମୁକ୍ତିକାନ୍ତ ମଣ୍ଡଳ ଭଳି ନେତାମାନେ ମଧ୍ୟ ବିଧାୟକ ଓ ମନ୍ତ୍ରୀ ହୋଇଛନ୍ତି ଏହି ରାଜ୍ୟରେ । ରାଜ୍ୟର ଦକ୍ଷିଣାଞ୍ଚଳରେ ବିଭିନ୍ନ ଦଳର ଏକାଧିକ ନେତା ଅଣ ଓଡ଼ିଆ । ଯଦି ସେମାନଙ୍କୁ ଗ୍ରହଣ କରାଯାଉଛି, ତେବେ କାହିଁକି ପାଣ୍ଡିଆନ ନୁହେଁ ବୋଲି ଅନେକ ରାଜନୈତିକ ବିଶାରଦ କହୁଛନ୍ତି ।
