ଭୁବନେଶ୍ୱର: ରାଜ୍ୟ ସରକାରକୃଷି ଉଚ୍ଚଶିକ୍ଷା ଓ ଗବେଷଣାକୁ ଅଧିକ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ OUATରେ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ପିଜି ଓ ପିଏଚ୍ଡି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। କୃଷି ଓ ଆନୁଷଙ୍ଗିକ ବିଷୟରେ ସ୍ନାତକୋତ୍ତର (ପିଜି) ଏବଂ ପିଏଚ୍ଡି ପାଠ୍ୟକ୍ରମରେ ଅଧ୍ୟୟନରତ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ଭତ୍ତା ପ୍ରଦାନକୁ ଅନୁମୋଦନ କରାଯାଇଛି। ଅଗଷ୍ଟ ୩ ତାରିଖ ବିଜ୍ଞପ୍ତି ଅନୁସାରେ, ଦୁଇ ବର୍ଷିଆ ବୃତ୍ତିଗତ ସ୍ନାତକୋତ୍ତର ପାଠ୍ୟକ୍ରମରେ ଅଧ୍ୟୟନରତ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ମାସିକ ୧୦ ହଜାର ଟଙ୍କା ଏବଂ ତିନି ବର୍ଷ ପର୍ଯ୍ୟନ୍ତ ପିଏଚ୍ଡି ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କୁ ମାସିକ ୧୫ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବ। ଏହି ଆର୍ଥିକ ସହାୟତା ମାଧ୍ୟମରେ କୃଷି କ୍ଷେତ୍ରରେ ଉଚ୍ଚଶିକ୍ଷା ଓ ଗୁଣାତ୍ମକ ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ଓୟୁଏଟିରେ ଉଚ୍ଚଶିକ୍ଷା ଜାରି ରଖିବାକୁ ଉତ୍ସାହିତ କରାଯିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି । ତେବେ ଏହି ସୁବିଧା କଲେଜ୍ ଅଫ୍ ବେସିକ୍ ସାଇନ୍ସ, ସ୍ୱୟଂ ଅର୍ଥପୋଷିତ ପୋଷ୍ଟ ଗ୍ରାଜୁଏଟ୍ ଷ୍ଟଡିଜ୍ ସେଣ୍ଟର ଏବଂ ଏନ୍ଆର୍ଆଇ କୋଟାରେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୋଜ୍ୟ ହେବ ନାହିଁ । ସେହିପରି, ଯେଉଁ ଛାତ୍ରଛାତ୍ରୀ ଅନ୍ୟ କୌଣସି ଛାତ୍ରବୃତ୍ତି କିମ୍ବା ଆର୍ଥିକ ସହାୟତା ପାଉଛନ୍ତି, ସେମାନେ ଏହି ଭତ୍ତା କିମ୍ବା ପୂର୍ବରୁ ପାଉଥିବା ସହାୟତା ମଧ୍ୟରୁ ଗୋଟିଏକୁ ବାଛିପାରିବେ। ଏକାଧିକ ଆର୍ଥିକ ସହାୟତାର ସୁବିଧା ମିଳିବ ନାହିଁ । ଛାତ୍ରଛାତ୍ରୀଙ୍କ ସନ୍ତୋଷଜନକ ଶିକ୍ଷାଗତ ପ୍ରଦର୍ଶନ ଆଧାରରେ ପ୍ରତିବର୍ଷ ଏହି ଭତ୍ତାର ନବୀକରଣ କରାଯିବ |
