ଭୁବନେଶ୍ୱର: ଅଲ୍ ଓଡ଼ିଶା ସେଣ୍ଟ୍ରାଲ୍ କୋଅପରେଟିଭ୍ ବ୍ୟାଙ୍କ କର୍ମଚାରୀ ମହାସଂଘ (AOCCBEF) ପକ୍ଷରୁ ପୁରୀ ଜିଲ୍ଲା ପୋଲିସ ଅଧୀକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ୩୧ ଜୁଲାଇ ୨୦୨୬ ତାରିଖରେ ୟୁପିଏନ୍ସି ବ୍ୟାଙ୍କର ପିପିଲି ଶାଖାରେ ଘଟିଥିବା ଶାଖା ପରିଚାଳକଙ୍କ ଉପରେ ଆକ୍ରମଣ ଘଟଣାର ନିରପେକ୍ଷ ତଦନ୍ତ ସହ ତୁରନ୍ତ କଠୋର ଆଇନାନୁଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।ମହାସଂଘ ପକ୍ଷରୁ କୁହାଯାଇଛି ଯେ, ଶାଖା ପରିଚାଳକ ଶ୍ରୀ ବିକାଶ କୁମାର ପରିଡ଼ା ସରକାରୀ କର୍ତ୍ତବ୍ୟ ପାଳନ କରୁଥିବା ସମୟରେ ଶ୍ରୀ ପ୍ରଦୀପ କୁମାର ସାହୁ ଓ ତାଙ୍କର କିଛି ସମର୍ଥକ ବଳପୂର୍ବକ କାର୍ଯ୍ୟାଳୟରେ ପ୍ରବେଶ କରି ତାଙ୍କୁ ଗାଳିଗୁଲଜ, ଧମକଚମକ ଏବଂ ଶାରୀରିକ ଭାବେ ଆକ୍ରମଣ କରିଥିବା ଅଭିଯୋଗ ରହିଛି। ଏହି ଘଟଣା ଫଳରେ ବ୍ୟାଙ୍କ ପରିସରରେ ଆତଙ୍କର ପରିବେଶ ସୃଷ୍ଟି ହେବା ସହ ସାଧାରଣ ବ୍ୟାଙ୍କିଂ କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଥିଲା।

ମହାସଂଘ କହିଛି ଯେ, ବ୍ୟାଙ୍କ ଅଧିକାରୀଙ୍କ ଉପରେ କାର୍ଯ୍ୟରତ ଅବସ୍ଥାରେ ଆକ୍ରମଣ କେବଳ ଜଣେ ବ୍ୟକ୍ତିଙ୍କ ଉପରେ ନୁହେଁ, ବରଂ ଏହା ଏକ ସାର୍ବଜନୀନ ଆର୍ଥିକ ପ୍ରତିଷ୍ଠାନର ଗରିମା ଓ ଆଇନର ଶାସନ ଉପରେ ସିଧାସଳଖ ଆଘାତ। ଏଭଳି ଘଟଣା ବ୍ୟାଙ୍କ କର୍ମଚାରୀଙ୍କ ମନୋବଳକୁ ଦୁର୍ବଳ କରିବା ସହ ଜନସାଧାରଣଙ୍କ ବିଶ୍ୱାସକୁ ମଧ୍ୟ ପ୍ରଭାବିତ କରିଥାଏ। ଘଟଣାର ସିସିଟିଭି ଫୁଟେଜ୍ ଓ ସମ୍ପର୍କିତ ଅଭିଯୋଗପତ୍ର ପୂର୍ବରୁ ପୁରୀ ଜିଲ୍ଲା ପୋଲିସଙ୍କ ନିକଟରେ ଦାଖଲ କରାଯାଇଥିବାରୁ, ଉପଲବ୍ଧ ପ୍ରମାଣ ଆଧାରରେ ତ୍ୱରିତ, ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ କଠୋର ଆଇନାନୁଗତ ବ୍ୟବସ୍ଥା ଗ୍ରହଣ କରିବାକୁ ମହାସଂଘ ଦାବି କରିଛି। ମହାସଂଘର ସାଧାରଣ ସମ୍ପାଦକ ଶ୍ରୀ ବିଷ୍ଣୁ ପ୍ରସାଦ ମହାନ୍ତି କହିଛନ୍ତି ଯେ, ପୁରୀ ଜିଲ୍ଲା ପୋଲିସର ନିରପେକ୍ଷତା ଓ ପେସାଦାରିତ୍ୱ ପ୍ରତି ସଂଗଠନର ପୂର୍ଣ୍ଣ ଆସ୍ଥା ରହିଛି। ଏହି ଘଟଣାରେ ଦ୍ରୁତ ନ୍ୟାୟ ପ୍ରଦାନ କରାଗଲେ ସମଗ୍ର ରାଜ୍ୟର ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ମନରେ ସୁରକ୍ଷା ଓ ଆତ୍ମବିଶ୍ୱାସ ସୁଦୃଢ଼ ହେବ l
