ସମ୍ବଲପୁର: ସମ୍ବଲପୁରର ଐତିହାସିକ ଗୌରବକୁ ନୂଆ ପରିଚୟ ଦେବା ପାଇଁ ବୁଧବାର ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍ଘାଟନ କରି କହିଛନ୍ତି ଯେ ସମ୍ବଲପୁରର ଇତିହାସ ଓ ସଂସ୍କୃତି ଅତି ପ୍ରାଚୀନ। ଜିଲା ପ୍ରଶାସନ, ରାଜ୍ୟ ସଂସ୍କୃତି ବିଭାଗ ଏବଂ ‘ଇଣ୍ଟାକ’ର ମିଳିତ ସହଯୋଗରେ ନିର୍ମିତ ଏହି ଉଚ୍ଚକୋଟୀର ମ୍ୟୁଜିୟମ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ସାଜିବ। ସମ୍ବଲପୁର ଅଞ୍ଚଳରେ ୧୦ ହଜାର ବର୍ଷ ତଳର ପଥର ଯୁଗର ଗୁମ୍ଫା ଚିତ୍ର ବା ‘ରକ ଆର୍ଟ’ ମିଳିବା ଏହାର ସମୃଦ୍ଧ ସଭ୍ୟତାର ପ୍ରମାଣ ଦିଏ ବୋଲି ସେ ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରଧାନ ସମ୍ବଲପୁରରେ ଏକ ସ୍ବତନ୍ତ୍ର ‘ଆର୍ଟ କଲେଜ’ ବା କଳା ମହାବିଦ୍ୟାଳୟ ସ୍ଥାପନ ପାଇଁ ଘୋଷଣା କରିଛନ୍ତି। ସମ୍ବଲପୁରୀ ନୃତ୍ୟ, ସଂଗୀତ, ବାଦ୍ୟ ଏବଂ ଲୋକ ସଂସ୍କୃତିକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଏହି କଲେଜ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାସହ ସହରରେ ନୂତନ ଅଡିଟୋରିୟମ ନିର୍ମା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି। ସମ୍ବଲପୁରର ଜ୍ଞାନ ଆଧାରିତ ଅର୍ଥନୀତି ଓ ସାଂସ୍କୃତିକ ଗାରିମାକୁ ବୃଦ୍ଧି କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ ମତ ଦେଇଛନ୍ତି। ଏହି ଅବସରରେ ତାଙ୍କ ସହିତ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତ ରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ, ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରୀ ନାଏକ ପ୍ରମୁଖଙ୍କ ସହ ଜିଲାପାଳ,ତଥା ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
